ଫିଟନେସ୍ ନଥିଲେ ଅଟକିବ ଗାଡ଼ି, ଜରିମାନା ସହ ଗାଡ଼ିକୁ ଅଟକାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଫିଟନେସ ନଥିଲେ ଅଟକିବ ଗାଡ଼ି। ଜରିମାନା ସହ ଗାଡ଼ିକୁ ଅଟକ ରଖିବେ ପରିବହନ ବିଭାଗ କର୍ତ୍ତୃପକ୍ଷ। ଏ ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ। ସଡକ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷାକୁ ନେଇ କଡାକଡି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।ଏଣିକି ବିନା ଫିଟନେସ ଓ ପଞ୍ଜିକରଣରେ ଚାଲୁଥିବା ଗାଡି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଜରିମାନା ସହ ଆଇନ ଅନୁଯାୟୀ ଗାଡିକୁ ଜବତ କରି ମାମଲା ରୁଜୁ କରିବା ସହ ବେଆଇନ ଗାଡିକୁ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫିଟନେସ ଓ ପଞ୍ଜିକରଣ ବୈଧତା ସରିଥିବା ଗାଡିର ତାଲିକା ପ୍ରସ୍ତୁତ କରିବେ ଏମଭିଆଇ। ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିଶନର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହି ସବୁ ନିୟମକୁ କଡାକଡି ଭାବେ ଗ୍ରହଣ କରାଯିବ। ସାରା ରାଜ୍ୟରେ ଫିଟନେସ ଓ ରେଜିଷ୍ଟ୍ରସନ ସାର୍ଟିଫିକେଟ ଯାଞ୍ଚ କରିବାକୁ ସମସ୍ତ ଉପ ପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ ବାଣିଜ୍ୟ ଗାଡି ଗୁଡିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ବାଧ୍ୟତା ମୂଳକ ରହିଛି। ଏହା ନଥିଲେ ଗାଡି ରାସ୍ତାରେ ଚାଲିବାକୁ ଅନୁମତି ମିଳିବନି। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି।