ଆଜି ସୁପ୍ରିମ କୋର୍ଟରେ ହେବ ନିଟ-ୟୁଜି ମାମଲାର ଶୁଣାଣି

1 min read

ନୂଆଦିଲ୍ଲୀ : ନିଟ-ୟୁଜି ମାମଲାରେ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣି। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି। ଶୁଣାଣି ବେଳେ ବିହାର ପୋଲିସ ଓ ଇଓଡବ୍ଲୁ ରିପୋର୍ଟ ଦେଖିବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଗତକାଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନ୍ଯାସନାଲ ଟେଷ୍ଟିଂ ଏଜେନସି ବା ଏନଟିଏ ଓ୍ବେବସାଇଟରେ ଅପଲୋଡ ହୋଇଥିଲା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ । ସହରଓ୍ବାରୀ ଓ କେନ୍ଦ୍ରଓ୍ବାରୀ ଏହି ତଥ୍ଯ ଅପଲୋଡ କରାଯାଇଥିଲା । ତେବେ ପ୍ରାର୍ଥୀଙ୍କ ପରିଚୟ ଗୋପନ ରଖାଯାଇଛି ।

ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ନିଟ ପରିଚାଳନାରେ ସେପରି କିଛି ଅନିୟମିତତା ହୋଇଥିବାର ନଜିର ନ ଆସିଲେ ରିଟେଷ୍ଟ ହୋଇପାରିବ ନାହିଁ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମାର୍କ କେନ୍ଦ୍ରଓ୍ବାରୀ ପ୍ରକାଶ କରାଯାଇ ନଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ବି ବିଭିନ୍ନ କାରଣରୁ ପ୍ରକାଶ କରି ନଥିଲା ଏନଟିଏ । ପରୀକ୍ଷାରେ ସ୍ବଚ୍ଛତା ଲାଗି ଏନଟିଏ ଓ୍ବେବସାଇଟରେ ନିଟ-ୟୁଜି ଫଳ ପ୍ରକାଶ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।