ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ

ଜୟପୁର: ରାଷ୍ଟ୍ରିୟ ମର୍ଯ୍ୟାଦାର ସହ ସମ୍ପର୍ଣ୍ଣ ହେଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଅନ୍ତିମ ସଂସ୍କାର । ଶୋଭାଯାତ୍ରାରେ କମଳା ପୂଜାରୀଙ୍କ ମରଶରୀରକୁ ନିଆଯାଇଥିଲା । ପରେ ଗାଁ ଶ୍ମଶାନରେ ଦିଆଯାଇଥିଲା ଗାର୍ଡ ଅଫ ଅନର ।

କମଳା ପୂଜାରୀଙ୍କ ବିୟୋଗରେ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହେଇଥିଲା । ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ପରେ ତାଙ୍କର ଚିକିତ୍ସା ଚାଲିଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବରରେ ଆକ୍ରାନ୍ତ ହୋଇଥିଲେ କମଳା । ଏସସିବି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ ।

କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣିଥିଲେ କମଳା ପୂଜାରୀ । ପ୍ରଥମ ଆଦିବାସୀ ମହିଳା ଭାବେ କୋରାପୁଟ ଜିଲ୍ଲାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ପୁରୁଣା ଧାନ ବିହନକୁ ବିଭିନ୍ନ ଉପାୟରେ ସାଇତି ରଖିବା ପାଇଁ ୨୦୧୯ ମାର୍ଚ୍ଚ ୧୬ ତାରିଖରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ପ୍ରାୟ ୧୦୦ରୁ ଅଧିକ ଦେଶୀ ବିହନ ସଂରକ୍ଷଣ କରି ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଥିଲେ । ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କାରି କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିଲେ । ପ୍ରଥମ ଆଦିବାସୀ ମହିଳା ଭାବେ ରାଜ୍ୟ ଯୋଜନା ବୋର୍ଡର ମଧ୍ୟ ସଦସ୍ୟ ଥିଲେ କମଳା ପୂଜାରୀ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପାତ୍ରପୁଟ ଗ୍ରାମରେ ପଦ୍ମଶ୍ରୀ କମଳା ପୂଜାରୀ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ ।