ନବୀନଙ୍କ ଛାୟା କ୍ୟାବିନେଟକୁ କଂଗ୍ରେସର ପ୍ରଶଂସା, ବିଜେପି ଦେଲା ରାଜନୈତିକ ବୟାନ

ଭୁବନେଶ୍ବର: ରାଜ୍ୟରେ ଏକ ଶକ୍ତ ବିରୋଧୀ ଦଳ ଭୂମିକାରେ ବିଜେଡି । ଓଡ଼ିଶାର ହିତ ପାଇଁ ବିଭିନ୍ନ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳାନାକୁ ଜଗିବେ ବିଜେଡି ବିଧାୟକ । ପ୍ରଥମ ଥର ପାଇଁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟସ୍ବାର୍ଥ ପାଇଁ ଗଢିଛନ୍ତି ଛାୟା କ୍ୟାବିନେଟ୍ । ଦଳର ୫୦ ଜଣ ବିଧାୟକଙ୍କୁ ଦେଇଛନ୍ତି ବିଭାଗଓ୍ବାରୀ ଦାୟିତ୍ବ । ନବୀନଙ୍କ ଏହି ରଣନୀତି ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ନିଷ୍ପତ୍ତିକୁ କଂଗ୍ରେସ ପ୍ରଶଂସା କରିଥିବା ବେଳେ, ବିଜେପି ଦେଇଛି ରାଜନୀତିର ବୟାନ ।

ସରକାରଙ୍କୁ ଛାଇ ଭଳି ଜଗିବ ଛାୟା କ୍ୟାବିନେଟ୍ । ବିଜେଡିର ୫୦ ବିଧାୟକଙ୍କୁ ମିଳିଲା ବିଭିନ୍ନ ବିଭାଗର ଗୁରୁ ଦାୟିତ୍ବ । ବିକାଶ ଓ ଯୋଜନାର କାର୍ଯ୍ୟକାରିତାକୁ କରିବେ ଅନୁଧ୍ୟାନ । ବିଜେଡି କହିଲା ଆମେ ପ୍ରସ୍ତୁତ, କଂଗ୍ରେସ କଲା ସମର୍ଥନ । ଅନ୍ୟପକ୍ଷେ ପ୍ରଶ୍ନ ଉଠାଇଲା ବିଜେପି ।

ବିଧାନସଭାରେ ଦୃଢ଼ ବିରୋଧୀ ଦଳର ଭୂମିକା ନେବ ବିଜେଡି । ଲୋକଙ୍କ ସ୍ବାର୍ଥ ପାଇଁ କାମ କରିବେ ୫୦ ବିଜେଡି ବିଧାୟକ । ରାଜନୀତିକୁ ଜନସେବାର ମୂଳମନ୍ତ୍ର କରି ଓଡ଼ିଶା ରାଜନୀତିରେ ପ୍ରଥମ ଥର ଲାଗି ଛାୟା କ୍ୟାବିନେଟ ଗଠନ କରିଛନ୍ତି ନବୀନ ପଟ୍ଟନାୟକ । ଶକ୍ତ ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ ସ୍ବାର୍ଥରେ ଯେପରି ଆଞ୍ଚ ନଆସେ, ସେଥିପାଇଁ ବିଭାଗଓ୍ବାରୀ ଜଗିବେ ବିଜେଡି ବିଧାୟକ । ନୂଆ ସରକାରଙ୍କ କାର୍ଯ୍ୟକାରିତାକୁ ମନିଟର କରିବେ ବିଧାୟକମାନେ । ଦାୟିତ୍ବ ସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେଡି ଏହି ନୂଆ ଦାୟିତ୍ବ ତୁଲାଇବ । ଖାସ ସେଥିପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନେତାଙ୍କୁ ଦେଇଛନ୍ତି ଗୁରୁ ଦାୟିତ୍ବ । ନବୀନଙ୍କ ନିର୍ଦ୍ଦେଶକୁ ବିଧାନସଭାରେ ସଠିକ ଭାବେ କାର୍ଯ୍ୟକାରୀ କରିବା ସହ ଗ୍ରାଉଣ୍ଡରେ ମଧ୍ୟ ସବୁ ବିକାଶର ଅନୁଧ୍ୟାନ କରିବ ଦଳ । ବିଧାନସଭାରୁ ରାଜ୍ୟସଭା ଯାଏଁ ଶକ୍ତ ବିରୋଧୀ ଦଳ ଭାବେ ବିଜେଡି ଲୋକଙ୍କ ସ୍ବର ସାଜିବ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ବିରୋଧୀ ଦଳ ହେଉଛନ୍ତି ଜନସାଧାରଣଙ୍କ ସ୍ବାର୍ଥର ଜାଗ୍ରତ ପ୍ରହରୀ । ତେଣୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯେଉଁ ଛାୟା କ୍ୟାବିନେଟ ଗଠନ କରିଛନ୍ତି, ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛି କଂଗ୍ରେସ । ନବୀନଙ୍କ ନିଷ୍ପତ୍ତି ଲୋକଙ୍କ ହିତରେ ଓ ସରକାରଙ୍କୁ ସବୁ ଦିଗରେ ସଜାଗ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ବିଜେପି କିନ୍ତୁ ନବୀନଙ୍କ ଛାୟା କ୍ୟାବିନେଟକୁ ନେଇ ରାଜନୈତିକ ବୟାନ ରଖିଛି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

ଆସନ୍ତ ୨୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ । ବିଭିନ୍ନ ବିଭାଗର ଦାୟିତ୍ବ ପାଇଥିବା ବିଜେଡିର ୫୦ ଜଣ ସଦସ୍ୟଙ୍କ ଭିତରୁ ୧୩ ଜଣଙ୍କର ବିଜେଡି ସରକାର ସମୟରେ ବହୁ ଅଭିଜ୍ଞତା ରହିଛି । ନବୀନଙ୍କ ୨୫ ବର୍ଷ ଶାସନରେ ବିଭିନ୍ନ କ୍ଷେତ୍ରରେ ଶୀର୍ଷରେ ରହିଥିଲା ଓଡ଼ିଶା । ଆଗକୁ ବଢ଼ିଥିଲା ବିକାଶମୂଳକ କାର୍ଯ୍ୟକ୍ରମ । ତେଣୁ ସେଥିରେ ଯେମିତି କିଛି ବାଧକ ନଆସେ, ତା’ଉପରେ ନଜର ରଖିବ ବିଜେଡିର ଛାୟା କ୍ୟାବିନେଟ ।