ସ୍ତ୍ରୀ କଥା ଶୁଣିଲେନି କେହି, ସମସ୍ତଙ୍କ ସାମ୍ନାରେ ଦ୍ୱିତୀୟ ବିବାହ କଲା ସ୍ୱାମୀ

ଭୋପାଲ : ମଧ୍ୟପ୍ରଦେଶର ଉମରିୟାରେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାର ସାମୁହିକ ବିବାହରେ ହଙ୍ଗାମା । କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ଜଣେ ମହିଳା କଅଁଳା ଛୁଆକୁ ଧରି ଚିଲ୍ଲାଇ ଚିଲ୍ଲାଇ ମୋ ସ୍ୱାମୀ ଦ୍ୱିତୀୟ ବିବାହ କରୁଛି ବୋଲି ଅଭିଯୋଗ କରିଥିଲା । ସେ କହିଥିଲା କି ମୋ ସ୍ୱାମୀ ବିବାହିତ ହୋଇ ମଧ୍ୟ ଏଠି ଅବିବାହିତ ଭାବେ ଆଉଥିରେ ବିବାହ କରିବାକୁ ଆସିଛି । ଆଶ୍ଚର୍ଯ୍ୟର କଥା ଯେ, ମହିଳାଙ୍କ ଏପରି ଅଭିଯୋଗ ଏବଂ ହୋ ହାଲ୍ଲାକୁ କେହି କର୍ଣ୍ଣପାତ କରିନଥିଲେ  । ବରଂ ସେ ଯେଉଁ ଯୁବକକୁ ନିଜ ସ୍ୱାମୀ ବୋଲି କହୁଥିଲା , ସେ ତାକୁ ଚିହ୍ନି ନଥିବା କହିଥିଲା  ଏବଂ ସେ ପୁନର୍ବାର ବିବାହ ମଧ୍ୟ କରିଥିଲା ।

ଏହି ଘଟଣାଟି ପାଲି ଜନପଦ ସ୍ଥିତ ଘୁନଘୁଟୀର । ସୋମବାର ଏଠାରେ ସାମୁହିକ ବିବାହର ଆୟୋଜନ ହୋଇଥିଲା  । ବହୁ ବର କନ୍ୟା ବିବାହ କରିବାକୁ ପହଞ୍ଚିଥିଲେ । ଏହା ଭିତରେ ଚିନକୀ ଗାଁର ଲଲିତା ବାଇ ଯେତେ ବେଳେ ଜାଣିଲା କି ତା ସ୍ୱାମୀ ଧରମ ସିଂହ ସାମୁହିକ ବିବାହରେ ଗାଁର ଆଉ ଜଣେ ଯୁବତୀ ସହ ବିବାହ କରୁଛି, ସେ ସଙ୍ଗେ ସଙ୍ଗେ ନିଜ ବାପା ଏବଂ ଛୋଟ ଝିଅକୁ ନେଇ ସେଠାରେ ପହଞ୍ଚିଥିଲା । ଆଉ ସେଠାରେ ସେ ସଭିଙ୍କୁ ଚିତ୍କାର କରି କରି ନିଜ ସ୍ୱାମୀର ଦ୍ୱିତୀୟ ବିବାହକୁ ପ୍ରତିବାଦ କରିଥିଲା ଏବଂ ବାହାଘର ରୋକିବାକୁ ଚେଷ୍ଟା କରିଥିଲା । ହେଲେ ସେଠାରେ ଗରିବ ବାପା ଏବଂ ଝିଅର ଦୁଃଖ ଶୁଣିବାକୁ କେହି ଆସିଲେ ନାହିଁ ।

ଅନ୍ୟପଟେ ମହିଳାଟିର ସ୍ୱାମୀ ଦ୍ୱିତୀୟ ବିବାହ କରି ପଳାଇ ଆସିଲା  । କିନ୍ତୁ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ମୀନା ସିଂହ ଏବଂ  ସମସ୍ତ ଅଧିକାରୀ କୌଣସି ପଦକ୍ଷେପ ନେଲେ ନାହିଁ କି ଘଟଣାର ତଦନ୍ତ କଲେ ନାହିଁ । ସେପଟେ ଧରମ ସିଂ ନିଜ ପତ୍ନୀ ଏବଂ ଝିଅକୁ ଚିହ୍ନି ନଥିବା କହିଥିଲା  ଓ କହିଥିଲା କି ମୁଁ ଅବିବାହିତି , ଆଉ ଏମାନଙ୍କୁ ଚିହ୍ନିନାହିଁ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବରିଷ୍ଠ ଅଧିକାରୀ କୌଣସି ପଦକ୍ଷପ ଗ୍ରହଣ କରି ନାହାନ୍ତି ।