ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଖରିଫ ଧାନ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜିଠୁ ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ଚାଷୀମାନେ ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ ସହ ଚାଷ ହୋଇଥିବା ଜମିର ବିସ୍ତୃତ ବିବରଣୀ ପ୍ରଦାନ କରିବେ । ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଷୀମାନେ ଫର୍ମ ଦାଖଲ କରିବେ ।

ଚଳିତବର୍ଷ ନଭେମ୍ୱର ୧ ତାରିଖରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ଯାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କହିବା ସହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଟେଲାଇଟ ସର୍ଭେ ଦ୍ୱାରା ଉତ୍ପାଦନ ଜଣାପଡିବ ଓ ସେହି ଆଧାରରେ ଚାଷୀଙ୍କୁ ଟୋକନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ ଏହି ପ୍ରସଙ୍ଗକୁ ନେଇ ଚାଷୀ ନେତାମାନେ ସରକାରଙ୍କ ଉପରେ ବର୍ଷିଛନ୍ତି । ପୂର୍ବରୁ ରବି ଋତୁରେ ବହୁ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି । ଫଳରେ ଚାଷୀ ଶାଗମାଛ ଦରରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଛି । ତେଣୁ ସରକାର ସାଟେଲାଇଟ ସର୍ଭେର କଥା ନକହି, କିଭଳି ପ୍ରତିଶ୍ରୁତି ମୁତାବକ ଏମଏସପିରେ ସବୁ ଧାନ କିଣିବେ, ତା’ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଦାବି କରିଛନ୍ତି ଚାଷୀ ନେତା ।