୪୮ ବର୍ଷ ତଳେ ନ୍ୟୁୟର୍କରେ ରଥ ତିଆରି ପାଇଁ ଜାଗା ଦେଇଥିଲେ ଟ୍ରମ୍ପ୍, ରଥଯାତ୍ରା ବେଳେ ବଞ୍ଚିଲା ଜୀବନ

1 min read

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ନିର୍ବାଚନର ଘମାଘୋଟ ଭିତରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଉପରେ ହୋଇଛି ଆକ୍ରମଣ । ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଟ୍ରମ୍ପ । ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ଛାତ ଉପରେ ଥିବା ସ୍ନାଇପର ତାଙ୍କୁ ଟାର୍ଗେଟ୍ କରିଥିଲା । ଗୁଳି ଲକ୍ଷ୍ୟଭେଦ କରିବାର ୩ ସେକେଣ୍ଡ୍ ପୂର୍ବରୁ ଟ୍ରମ୍ପ ନିଜ ମୁଣ୍ଡକୁ ନୁଆଁଇ ଦେଇଥିଲେ । ଫଳରେ ଗୁଳି ତାଙ୍କ କାନକୁ ଘଷି ହୋଇ ଚାଲିଯାଇଥିଲା । ରଖେ ହରି ତ’ ମାରେ କିଏ ? ଏଭଳି କଥା ଟ୍ରମ୍ପଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଏହାରି ଭିତରେ ଇସ୍କନର ଜଣେ ବରିଷ୍ଠ ସାଧୁଙ୍କ ଗୋଟିଏ ଟ୍ୱିଟ୍ ପୁରା ଦୁନିଆର ଧ୍ୟାନ ଆକର୍ଷଣ କରିଛି । ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି ବୋଲି ସାଧୁ ଟ୍ୱିଟ୍ କରିଛନ୍ତି ।

ଇସ୍କନ ଉପସଭାପତି ରାଧାରମଣ ଦାସ ଟ୍ୱିଟ୍ କରି କହିଛନ୍ତି ଯେ, ଟ୍ରମ୍ପଙ୍କ ବଂଚିବା ଦୈବୀ ହସ୍ତକ୍ଷେପ ଥିଲା । ଜଗନ୍ନାଥଙ୍କ କୃପାରୁ ଟ୍ରମ୍ପଙ୍କ ଜୀବନ ରକ୍ଷା ହୋଇଛି । ୪୮ ବର୍ଷ ତଳେ ୧୯୭୬ ମସିହାରେ ନ୍ୟୁୟର୍କରେ ଯେତେବେଳେ ପ୍ରଥମ ରଥଯାତ୍ରା ଆୟୋଜନ ହେବାକୁ ଯାଉଥିଲା,ସେତେବେଳେ ରଥ ନିର୍ମାଣ ପାଇଁ ସ୍ଥାନ ମିଳୁନଥିଲା । ଏହି ସମୟରେ ଟ୍ରମ୍ପ୍ ଆଶାର କିରଣ ହୋଇ ଉଭା ହୋଇଥିଲେ ।

ଜଗା ରଥ ପାଇଁ ଜାଗା ଦେଇଥିଲେ ଟ୍ରମ୍ପ୍

ନ୍ୟୁୟର୍କର ପ୍ରାୟ ସବୁ ଧନୀ ବ୍ୟକ୍ତି ରଥ ନିର୍ମାଣ ପାଇଁ ନିଜ ଜାଗା ଦେବାକୁ ମନା କରିଦେଇଥିଲେ । ଏହି ସମୟରେ ଜଣେ କେହି ଟ୍ରମ୍ପଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ଟ୍ରମ୍ପଙ୍କ ବୟସ ସେତେବେଳେ ୩୦ ଥିଲା । ୩୦ ବର୍ଷର ଟ୍ରମ୍ପ ସେତେବେଳେ ଆମେରିକୀୟ ରିୟଲ ଇଷ୍ଟେଟ୍ ମାର୍କେଟର ଗୋଟିଏ ବଡ଼ ଚେହେରା ଭାବେ ଉଭା ହୋଇଥିଲେ ।

ରଥ ନିର୍ମାଣ ପାଇଁ ଖାଲି ସ୍ଥାନର ଆବଶ୍ୟକତା ଥିଲା । ସେହି ସମୟରେ ଟ୍ରମ୍ପ ପେନସିଲଭିନିଆର ଗୋଟିଏ ପୁରୁଣା ରେଲ୍ ୟାର୍ଡ୍ କିଣିଥିଲେ । ଇସ୍କନ ଆମେରିକାର ପ୍ରତିନିଧି ଭକ୍ତଦାସ କିଛି ସାଥିଙ୍କ ସହିତ ଟ୍ରମ୍ପଙ୍କୁ ଭେଟିବାକୁ ତାଙ୍କ ଅଫିସକୁ ଯାଇଥିଲେ । ସେମାନେ ସାଥିରେ ମହାପ୍ରସାଦ ଓ ରଥ ନିର୍ମାଣ ପାଇଁ ସ୍ଥାନ ଦେବାକୁ ଅନୁରୋଧ ପତ୍ର ନେଇଯାଇଥିଲେ । ଟ୍ରମ୍ପଙ୍କ ସେକ୍ରେଟେରି ମହାପ୍ରସାଦ ଓ ପତ୍ର ଗ୍ରହଣ କରିଥିଲେ । କିନ୍ତୁ ଏହା ମଧ୍ୟ କହିଥିଲେ ଯେ,ଆଶା ରଖନ୍ତୁ ନାହିଁ । କାରଣ ଟ୍ରମ୍ଫ ଏଭଳି କିଛି କାମ ପାଇଁ ଜମି ଦେବାର ଆଶା ନାହିଁ । କିନ୍ତୁ ଚମତ୍କାର ହେବାକୁ ଯାଉଥିଲା ।

ଇସ୍କନ ମଧ୍ୟ ଆଶା ଛାଡ଼ି ଦେଇଥିଲା ଯେ, ଟ୍ରମ୍ପ ସେମାନଙ୍କୁ ରଥ ନିର୍ମାଣ ପାଇଁ ସ୍ଥାନ ଦେବେ । କିନ୍ତୁ ଘଟଣାର ତିନି ଦିନ ପରେ ଟ୍ରମ୍ପଙ୍କ ସେକ୍ରେଟେରିଙ୍କ ଫୋନ୍ ଆସିଥିଲା । ଫୋନରେ ସେ କହିଥିଲେ ଯେ, ମୁଁ ଜାଣିନି କ’ଣ ହେଲା କିନ୍ତୁ ଟ୍ରମ୍ପ୍ ମହାପ୍ରସାଦ ଖାଇବା ପରେ ରଥ ନିର୍ମାଣ ପାଇଁ ସ୍ଥାନ ଦେବାକୁ ରାଜି ହୋଇଥିଲେ । ତାଙ୍କ ଦସ୍ତଖତ ଥିବା ଅନୁମତି ପତ୍ର ଅଫିସ ଆସି ନେଇଯାଆନ୍ତୁ ବୋଲି ସେକ୍ରେଟେରି ଇସ୍କନ କର୍ତ୍ତୁପକ୍ଷଙ୍କୁ କହିଥିଲେ ।

ମୁଁ ଜାଣିନି ମୁଁ କାହିଁକି ଦସ୍ତଖତ କରୁଛି

ଏବେ ରାଧା ରମଣ ଦାସ ଲେଖିଛନ୍ତି ଯେ, ଭଗବାନ ଜଗନ୍ନାଥଙ୍କ ନବ ଦିନାତ୍ମକ ରଥଯାତ୍ରା ଚାଲୁଥିବା ବେଳେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଓ ତାଙ୍କର ବଂଚିଯିବା କିଛି ଦୈବୀ ଚମତ୍କାରଠାରୁ କମ୍ ନୁହେଁ । ୧୯୭୬ରେ କେବଳ ଟ୍ରମ୍ପଙ୍କ ମନ ବଦଳି ନଥିଲା । ନ୍ୟୁୟର୍କ ପୋଲିସର ବି ମନ ବଦଳିଥିଲା । ୧୯୬୨ ମସିହାଠାରୁ ନ୍ୟୁୟର୍କର ଫିଫ୍ଥ ଆଭେନ୍ୟୁରେ କୌଣସି ପ୍ୟାରେଡକୁ ଅନୁମତି ମିଳୁନଥିଲା । ଏହା ଉପରେ ପ୍ରତିବନ୍ଧକ ଲାଗିଥିଲା । ଏମିତିରେ ରଥ ନିର୍ମାଣ ହେଲେ ମଧ୍ୟ ରଥ କେମିତି ଚାଲିବ ତାକୁ ନେଇ ଦ୍ୱନ୍ଦ୍ୱ ଥିଲା । ଏଭଳି ପରିସ୍ଥିତିରେ ଇସ୍କନ ପ୍ରତିନିଧି ମଣ୍ଡଳି ନ୍ୟୁୟର୍କ ପୋଲିସ ମୁଖ୍ୟଙ୍କୁ ଭେଟିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ଅନୁମତି ଦେଇଥିଲେ ଓ ଅନୁମତି ପତ୍ରରେ ଦସ୍ତଖତ କରିବା ବେଳେ କହିଥିଲେ ‘ମୁଁ କାହିଁକି ଏଥିରେ ଦସ୍ତଖତ କରୁଛି,ମୁଁ ନିଜେ ଜାଣିନି’ ।