ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର

1 min read

ପୁରୀ: ନିର୍ଦ୍ଧାରିତ ସମୟରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲିଛି । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଛି । ଆଜି କୌଣସି ରତ୍ନ ଗଣତି ମଣତି ହେବନାହିଁ । ରତ୍ନଭଣ୍ଡାରକୁ ଯାଇଥିବା ଟିମ୍ ଆଜି କେବଳ ବାହାର ରତ୍ନଭଣ୍ଡାର ଯାଞ୍ଚ କରିବେ ।

ବାବା ଲୋକନାଥଙ୍କ ଆଜ୍ଞାମାଳ ଆସିବା ପରେ ବସିଥିଲା ରତ୍ନଭଣ୍ଡାର ତଦାରଖ କମିଟି ବୈଠକ । ନିଷ୍ପତ୍ତି ଅନୁସାରେ ଦିନ ୧୨ଟାରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟ ଆରମ୍ଭ ହୋଇଥିଲା । ଯାଞ୍ଚ ପାଇଁ ତଦାରଖ କମିଟିର ୧୧ ଜଣିଆ ଟିମ୍ ରତ୍ନଭଣ୍ଡାର ଅଭିମୁଖେ ବାହାରି ଥିଲେ । ତଡଉକରଣ, ଦେଉଳକରଣ, ଭଣ୍ଡାରମେକାପ, ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି । ଏଥିସହ ଉଚ୍ଚସ୍ତରୀୟ କମିଟିରୁ ୨ ଜଣ ଜଷ୍ଟିସ୍ ବିଶ୍ୱନାଥ ରଥ ଓ ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ।

ଏହା ପୂର୍ବରୁ ଟ୍ରେଜେରୀରେ ଥିବା ଚାବିକୁ ଅଧିକୃତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ରତ୍ନଭଣ୍ଡାର ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଛି । ରତ୍ନଭଣ୍ଡାର ତଦାରଖ କରାଯିବା ସମୟରେ ସାମୟିକ ଭାବେ ଶ୍ରୀମନ୍ଦିରରେ କଟକଣା ଲାଗୁ କରାଯାଇଛି । ସିଂହଦ୍ବାରକୁ ଛାଡି ବାକି ୩ ଦ୍ବାର ବନ୍ଦ କରିଦିଆଯାଇଛି । ଯେଉଁମାନେ ଅଧିକୃତ ସେବା ପୂଜାରେ ନିୟୋଜିତ ଅଛନ୍ତି, ସେମାନେ ସେବା କରିପାରିବେ । ପୋଲିସର ସୁରକ୍ଷା ବଳୟରେ ଏବେ ଶ୍ରୀମନ୍ଦିର ରହିଛି  l ସୁରକ୍ଷା ବ୍ୟବସ୍ଥାରେ ୫ ପ୍ଲାଟୁନ ଫୋର୍ସ ଶ୍ରୀମନ୍ଦିର ଚାରିପାଖରେ ଅଛନ୍ତି l ଭିତର ଶୋଧ ପରେ ରତ୍ନଭଣ୍ଡାର କମିଟି ଟିମ ଭିତରକୁ ପ୍ରବେଶ କରିଥିଲେ । ରତ୍ନଭଣ୍ଡାର ଖୋଲାଯିବା ପରେ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ରତ୍ନଭଣ୍ଡାରରେ ଥିବା ରତ୍ନକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଭିତରକୁ ନିଆଯାଇଛି ।