୧ଟା ୨୮ରେ ଖୋଲିବ ରତ୍ନଭଣ୍ଡାର, ଯାଉଛନ୍ତି ତଦାରଖ କମିଟି

1 min read

ପୁରୀ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଦିନ ୧ଟା ୨୮ରେ ଖୋଲିବ ରତ୍ନଭଣ୍ଡାର । ଯାଞ୍ଚ ପାଇଁ ତଦାରଖ କମିଟିର ୧୧ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି । ତଡଉକରଣ, ଦେଉଳକରଣ, ଭଣ୍ଡାରମେକାପ, ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି । ଏଥିସହ ଉଚ୍ଚସ୍ତରୀୟ କମିଟିରୁ ୨ ଜଣ ଜଷ୍ଟିସ୍ ବିଶ୍ୱନାଥ ରଥ ଓ ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ।

ଟ୍ରେଜେରୀରେ ଥିବା ଚାବିକୁ ଅଧିକୃତ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରତ୍ନଭଣ୍ଡାର ଖୋଲୁ ଥିବାରୁ ଶ୍ରୀମନ୍ଦିର ଦର୍ଶନକୁ ବନ୍ଦ ରଖାଯାଇଛି । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାବା ଲୋକନାଥଙ୍କ ପାଖରୁ ଶ୍ରୀମନ୍ଦିରକୁ ଆସିଥିଲା ଆଜ୍ଞାମାଳ । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଲୋକନାଥଙ୍କ ପାଖରେ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା । ରତ୍ନଭଣ୍ଡାର ଖୋଲିବା ସମୟରେ ଉପସ୍ଥିତ ରହିବେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ।

ରତ୍ନଭଣ୍ଡାର ତଦାରଖ କରାଯିବା ସମୟରେ ସାମୟିକ ଭାବେ କଟକଣା ରହିଛି । ସିଂହଦ୍ବାର ଛାଡି ବାକି ୩ ଦ୍ବାର ବନ୍ଦ ରହିବ । ଯେଉଁମାନେ ଅଧିକୃତ ସେବା ପୂଜାରେ ନିୟୋଜିତ ଅଛନ୍ତି, ସେମାନେ ସେବା କରିପାରିବେ । ପୋଲିସର ସୁରକ୍ଷା ବଳୟରେ ଏବେ ଶ୍ରୀମନ୍ଦିର ରହିଛି  l ସୁରକ୍ଷା ବ୍ୟବସ୍ଥାରେ ୫ ପ୍ଲାଟୁନ ଫୋର୍ସ ଶ୍ରୀମନ୍ଦିର ଚାରିପାଖରେ ଅଛନ୍ତି l ଭିତର ଶୋଧ ପରେ ରତ୍ନଭଣ୍ଡାର କମିଟି ଟିମ ଭିତରକୁ ପ୍ରବେଶ କରିଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ପରେ ସବୁ ପର୍ଯ୍ୟାୟ କ୍ରମାଗତ ଭାବେ କରାଯିବ । ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବ । ରତ୍ନର ଗଣତି ମଣତି ହେବ ନାହିଁ । କେବଳ ରତ୍ନକୁ ସ୍ଥାନାନ୍ତର କରାଯିବ । ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ରତ୍ନଭଣ୍ଡାରରେ ଥିବା ରତ୍ନକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଭିତରକୁ ନିଆଯାଇଛି ।