ଫସର ଫାଟିଲା ଯୁବକଙ୍କ ନିଜ ଅପହରଣ ନାଟକ, ନାଗପୁରରୁ ଉଠାଇ ଆଣିଲା ପୋଲିସ

ନୂଆପଡ଼ା: ପୁଅକୁ ଅପହରଣ କରାଯାଇଛି । ଭିଡିଓ ଆସିଲା ପରିବାର ପାଖକୁ । ଅପହରଣକାରୀ କଲେ ସାଢ଼େ ୩ ଲକ୍ଷ ଟଙ୍କା ଦାବି । ଭିଡିଓ ପାଇବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । ଖୋଳତାଡ଼ ପରେ ଯାହା ଜଣାପଡ଼ିଲା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ । କାରଣ ଏହି ଅପହରଣ ଥିଲା ଏକ ନାଟକ । ଯୁବକ ଜଣଙ୍କ ନିଜ ଅପହରଣ ନାଟକ ରଚି ପରିବାର ଲୋକଙ୍କ ପାଖରୁ ଟଙ୍କା ନେବାକୁ କରିଥିଲେ ଯୋଜନା । ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଅଞ୍ଚଳରେ । ନାଗପୁରରୁ ଯୁବକଙ୍କୁ ଉଠାଇ ଆଣି ପୋଲିସ ଅଧିକ ଖୋଳତାଡ଼ କରୁଛି ।

ଫିଲ୍ମ ଷ୍ଟାଇଲେ ଅପହରଣ ନାଟକ । ନିଜ ଅପହରଣ ପ୍ଲାନିଂ କରିଥିଲେ ନୂଆପଡା ଜିଲ୍ଲା ଖରୀଆର ରୋଡ ଜୟରାମ ନାଏକ ତାଙ୍କ ବଡ଼ପଅ ବୈକୁଣ୍ଠ । ସହଯୋଗୀଙ୍କ ସହ ମିଶି ଭିଡିଓ ଏଡିଟ କରି ପରିବାର ଲୋକଙ୍କ ପାଖକୁ ପଠାଇବା ସହ ମାଗିଥିଲେ ଟଙ୍କା । ଏନେଇ ଯୋଙ୍କ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ପୁଅକୁ କେହି ଅପହରଣ କରି ନେଇଥିବା ଓ ତାଙ୍କୁ ମାଡ଼ ମାରୁଥିବା ଭିଡିଓ ପଠାଇବା ସହ ସାଢ଼େ ୩ ଲକ୍ଷ ଟଙ୍କା ଦାବି କରିଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପାଇବା ପରେ ଜୋଙ୍କ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ବେଳେ ସବୁ ସତ ପଦାକୁ ଆସିଥିଲା । ବୈକୁଣ୍ଠଙ୍କୁ କେହି ଅପହରଣ କରି ନଥିବା ଓ ସେ ନିଜେ ଏହି ଅପହରଣ ନାଟକ ରଚିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାସହ ବୈକୁଣ୍ଠ ନାଗପୁରରେ ଥିବା ମଧ୍ୟ ପୋଲିସ ଖବର ପାଇଥିଲା । ଏହାପରେ ପୋଲିସ ନାଗପୁରରେ ପହଞ୍ଚି ବୈକୁଣ୍ଠଙ୍କୁ କାବୁ କରିବା ସହ ନୂଆପଡ଼ା ଆଣି ଘଟଣାର ଅଧିକ ଖୋଳତାଡ଼ କରୁଛି । ପୂରା ଘଟଣା ନେଇ ନୂଆପଡା ଏସପି ଜି. ରଘାବେନ୍ଦ୍ର ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।