ହେରାପଞ୍ଚମୀ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମାଆ ଲକ୍ଷ୍ମୀ

1 min read

ନନ୍ଦିଘୋଷ ବ୍ୟୁରୋ: ଜନ୍ମବେଦୀରେ ମହାପ୍ରଭୁଙ୍କ ମାନବୀୟ ଲୀଳା । ପତି-ପତ୍ନୀ ସମ୍ପର୍କର ଅଦଭୁତ ଦୃଶ୍ଯ ଦେଖି ଭାବବିହ୍ବଳ ହେଲେ ଶ୍ରଦ୍ଧାଳୁ । ହେରାପଞ୍ଚମୀ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମାଆ ଲକ୍ଷ୍ମୀ । ପରମ୍ପରା ଅନୁସାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଆଳତି ନୀତି ଶେଷ ପରେ ଶ୍ରୀମନ୍ଦିରରୁ ବିଜେ କରିଥିଲେ ମହଲଷ୍ମୀ । ଘଣ୍ଟ,ଛତା ପଟୁଆରରେ ମହାଲଷ୍ମୀ ବିମାନରେ ବିଜେ କରି ବଡଦାଣ୍ଡ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ଅଭିଳାସାରେ ଆସିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ନନ୍ଦିଘୋଷ ରଥ ନିକଟରେ ପହଂଚିବା ପରେ ସେଠାରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା । ପରେ ମହାଲଷ୍ମୀଙ୍କ ବିମାନ ଜଗମୋହନ ହୋଇ ଗୁଣ୍ଡିଚା ମନ୍ଦିର ଭିତରକୁ ବିଜେ କରିଥିଲା । ତେବେ ସେହି ସମୟରେ ସନ୍ଧ୍ୟା ଧୂପ ଭୋଗ ବସିଥିବା ହେତୁ ଜଗନ୍ନାଥଙ୍କର ଦର୍ଶନ ପାଇନଥିଲେ ମହାଲଷ୍ମୀ । ମହାପ୍ରଭୁଙ୍କର ଅଧରଚୁମ୍ବିତ ମାଳାପାଇ ଲଷ୍ମୀ ଠାକୁରାଣୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ଅଭିମାନରେ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବା ସହ ହେରାଗୋହରି ସାହି ରାସ୍ତା ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ । ପତି-ପତ୍ନୀଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଶରଧାବାଲିରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ହେରାପଞ୍ଚମୀରେ ମାତା ଆସିଥିବା ଜାଣିପାରି ଫେରିବା ପାଇଁ ମନସ୍ତ କରିଛନ୍ତି କାଳିଆ ସାଆନ୍ତ ।