ରାଉରକେଲା ସରକାରୀ ଡାକ୍ତରଖାନାରେ ଅନିୟମିତତାର ତଦନ୍ତ ଆରମ୍ଭ

1 min read

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଅନିୟମିତତା ଅଭିଯୋଗ ପରେ ତଦନ୍ତ ଆରମ୍ଭ । ଲଣ୍ଡ୍ରୀ, ସିକ୍ୟୁରିଟି, ଆଟେଣ୍ଡାନ୍ସ, ମର୍ଗ ହାଉସ ଓ ସଫେଇ କାର୍ଯ୍ୟରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ପରିବେଶ ସ୍ବଚ୍ଛ ରହିଲେ ସୁସ୍ଥ ହେବେ ରୋଗୀ । ଏଥିପାଇଁ ହସ୍ପିଟାଲ ଗୁଡ଼ିକର ସଫେଇ ପାଇଁ ଦିଆଯାଉଛି ବିଶେଷ ଧ୍ଯାନ । ହେଲେ ରାଉରକେଲା ସରକାରୀ ହସ୍ପିଟାଲରେ ଏହାର ବ୍ଯାପକ ଅନିୟମିତତା ଦେଖିବାକୁ ମିଳିଛି । ବିଶେଷ କରି ଲଣ୍ଡ୍ରୀ, ସିକ୍ୟୁରିଟି, ଆଟେଣ୍ଡାନ୍ସ, ମର୍ଗ ହାଉସ ଓ ସଫେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସବ କମିଟିର ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଘଟଣାର ଅଧିକ ତଦନ୍ତ କରିବା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ସ୍ଵାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ । ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୩ ଜଣିଆ ଟିମ ଡାକ୍ତରଖାନା ଆସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ସ୍ଵାସ୍ଥ୍ୟ ବିଭାଗ P & IM  ବିଭାଗର ସିନିୟର କନସଲଟାଣ୍ଟ ପ୍ରୀୟଦର୍ଶୀ ଦାସ, NHMର ଷ୍ଟେଟ ଫାଇନାନ୍ସ ମ୍ୟାନେଜର ମଳୟ କୁମାର ପାଣିଗ୍ରାହୀ ଓ NHMର HR କନସଲଟାଣ୍ଟ ଅଜିତ କୁମାର ବିଶ୍ବାଳ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ଲଣ୍ଡ୍ରୀରେ ଆବଶ୍ୟକତାଠାରୁ ଅଧିକ ବିଲ ହୋଇଥିବା ବେଳେ ସିକ୍ୟୁରିଟି, ଆଟେଣ୍ଡାନ୍ସ  ମଧ୍ଯ ଅଧିକ ବିଲ ହୋଇଛି । ସେହିପରି ମର୍ଗ ହାଉସ ଯନ୍ତ୍ରାଂଶ ହେରଫେର ଓ ସଫେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ସବ କମିଟି ତଦନ୍ତରୁ ସ୍ପଷ୍ଟ ହୋଇଛି । ଘଟଣା ପରେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି । ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।