ସିଙ୍ଗଲ ଓିଣ୍ଡୋରେ ୫ହଜାର ୯୯୨ କୋଟି  ମଞ୍ଜୁରୀ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ ଓିଣ୍ଡୋ କମିଟି  ବୈଠକରେ ୫ହଜାର ୯୯୨ କୋଟି ୯୨ ଲକ୍ଷ ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଛି । ମୋଟ ୨୬ଟି ପ୍ରକଳ୍ପରେ ଏହି ପୁଞ୍ଜିନିବେଶ ହେବ। ଏହା ଦ୍ଵାରା  ୧୯ ହଜାର ୩୬୪ ଲୋକ ନିଯୁକ୍ତି ପାଇବେ। ଇସ୍ପାତ, କେମିକାଲ, ଟେକ୍ସଟାଇଲସ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଭିତ୍ତିଭୂମି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ୧୪ ଜିଲ୍ଲାରେ ଏହି ପୁଞ୍ଜି ନିବେଶ କରାଯିବ। ମୟୂରଭଞ୍ଜରେ ଜିଏମ୍ ଆଇରନ କମ୍ପାନୀ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପାଇଁ ୭୪୫କୋଟି ଟଙ୍କାର ପୁଞ୍ଜିନିବେଶ କରି ୮୭୦ ନିଯୁକ୍ତି ଦେବ। ସୁନ୍ଦରଗଡ଼ରେ ଗଣେଶ ମେଟାଲିକ୍ସ ୬୦୪କୋଟି ବ୍ୟୟରେ ଏହାର ପ୍ଲାଣ୍ଟର ସଂପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ଏଥିରେ ୩୨୩୯ ଜଣଙ୍କୁ ମିଳିବ  ଚାକିରି। ଭାସ୍କର ଷ୍ଟିଲ ୫୩୦କୋଟି ପୁଞ୍ଜି ଲଗାଇ କାରଖାନାର ସଂପ୍ରସାରଣ କରିବ । ସେଥିରେ ୮୮୦ ଜଣଙ୍କୁ ଚାକିରି ମିଳିବ। ସୁନ୍ଦରଗଡ଼ରେ ଶ୍ରୀହରି ସ୍ପିନରର୍ସ ୧୩୦କୋଟି ବ୍ୟୟରେ ଏକ ସୂତା କଳ ବସାଇବାକୁ ଯାଉଛି ଯେଉଁଥିରେ ୭୦୦ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ରିଏଲ ଇଷ୍ଟେଟ କ୍ଷେତ୍ରରେ କାମ କରୁ୍ଥିବା ପଣ୍ଡା ଇଷ୍ଟେଟ ଖୋର୍ଦ୍ଧାରେ ଏକ ଆଇଟି କଲ୍ ସେଣ୍ଟର କରିବାକୁ ଯାଉଛି। ଏଥିରେ ୧୧୨କୋଟି ୮୦ଲକ୍ଷ ବିନିଯୋଗ ହେବାକୁ ଥିବା ବେଳେ ସାଢେ ୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ।