ବଡ଼ ଠାକୁର ପଡ଼ିଯିବା ଘଟଣା, କଣ ମାଡ଼ି ଆସିବ କି ବଡ଼ ବିପଦ?

1 min read

ନନ୍ଦିଘୋଷ ବ୍ୟୁରୋ: ଏତେ ବଡ଼ ଅଘଟଣ। ଯାହା କେବେ ଏ କାନ ଶୁଣିନଥିଲା କି ଆଖି ଦେଖିନଥିଲା, ଆଡ଼ପ ମଣ୍ଡପ ବିଜେ ସମୟରେ ଚାରମାଳ ଉପରେ ମୁହଁ ମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି ଏହି ଘଟଣା । କାହିଁକି ଏତେ ବଡ଼ ଅଘଟଣ ଘଟିଲା, କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ। ବଡ଼ ଠାକୁର ପଡ଼ିଯିବାରୁ ସାରା ରାଇଜରେ ହୁରି ପଡ଼ି ଯାଇଛି। ଏହା କୌଣସି ବଡ଼ ଅଘଟଣର ସୂଚନା ନୁହେଁ ତ। ଏହା ପରେ ଶୃଙ୍ଖଳିତ ରଥଯାତ୍ରା ନେଇ ଉଠିଛି ପ୍ରଶ୍ନ ଏବଂ ଗତକାଲିର ଅଘଟଣର ତଦନ୍ତ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ମୁହଁ ମାଡ଼ି ପଡ଼ିଗଲେ ବଳଭଦ୍ର। ଆଡ଼ପ ମଣ୍ଡପକୁ ବିଜେ ହେବା ବେଳେ ଚାରମାଳ ଉପରେ ହାମୁଡ଼େଇ ପଡ଼ିଗଲେ ବଡ଼ ଠାକୁର। ଏଥିପାଇଁ ଦାୟୀ କିଏ, କାହାର ଅବହେଳାରୁ ଏପରି ହେଲା। ଏହି ଅଘଟଣ କୋଟି କୋଟି ଜଗନ୍ନାଥଙ୍କ ମନରେ ଗଭୀର ଆଘାତ ଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି-ଏପରି ଅଘଟଣ ଆମେ କେବେ ଦେଖିନଥିଲୁ। କେମିତି ହେଲା, କାହିଁକି ହେଲା ତାର ତଦନ୍ତ ହେବ। ମୂଳ ସମସ୍ୟା ହେଲା ରଥରେ ଅଧିକ ସେବାୟତ ରହୁଛନ୍ତି, ପହଣ୍ଡି ବେଳେ ଅଧିକ ସେବାୟତ ରହୁଛନ୍ତି।  ସେବାୟତମାନେ ଗତକାଲିର ଘଟଣାରୁ ଶିକ୍ଷାଲାଭ କରିଥିବେ। ଆଗକୁ ଯେମିତି ଏପରି କେବେ ନ ହୁଏ, ପ୍ରଶାସନ ଓ ସେବାୟତ ପଦକ୍ଷେପ ନେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି -ବଳଭଦ୍ର ଚାରମାଳରେ ପଡ଼ିଯିବାର ତଦନ୍ତ ପାଇଁ ଗଠନ କରାଯାଇଛି ୩ ଜଣିଆ କମିଟି। ଏହି କମିଟି ତଦନ୍ତ କମିଟି ଦେଖିବ ସେତେବେଳେ କିଏ କିଏ ଥିଲେ, ଅଧିକୃତ ଲୋକ ଥିଲେ କି ନାହିଁ। ଭିଡିଓ ଦେଖି ସବୁ ଦିଗରୁ ତଦନ୍ତ କରିବେ। ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏତେ ବଡ଼ ଅଘଟଣକୁ ନେଇ ସରକାର କିନ୍ତୁ ହାଲୁକାରେ ନେବା ଭଳି ମନ୍ତବ୍ୟ ଦେଇଛନ୍ତି। ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  କହିଛନ୍ତି ଏହା ଲୀଳମୟଙ୍କ ଲୀଳା। ଠାକୁରଙ୍କ ଲୀଳା ଅପାର। ସେପଟେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି- ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା। ଏହା ପ୍ରଭୁଙ୍କର ଏକ ଛୋଟିଆ ଲୀଳା।

ସେପଟେ ଗତକାଲି ଅଘଟଣ ପାଇଁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି-ବଳଭଦ୍ରଙ୍କ ସେନାପଟାରେ ଲାଗିଥିବା ଛାଟେଣି ଡୋର ଖସିଯିବାରୁ ବିଗ୍ରହ ସମ୍ମୁଖ ଭାଗକୁ ହାମୁଡ଼ି ପଡିଥିଲେ। ଚାରମାଳରେ ଅଧିକ ସେବାୟତ, ସେବା ସମର୍ପଣ ଭାବର ଅଭାବକୁ ବି ଦାୟୀ କରାଯାଇଛି। ଜିଲ୍ଲାପାଳ କହିଛନ୍ତି – ଏହି ଘଟଣାରେ ୧୨ ଜଣ ଆହତଙ୍କୁ ହସପିଟାଲକୁ ନିଆଯାଇଥିଲା। ସମସ୍ତେ ସୁସ୍ଥ ଅଛନ୍ତି। କେବଳ ଜଣକୁ ଅବଜରଭେସନରେ ରଖାଯାଇଥିଲା।

ଗତକାଲିର ଘଟଣାର ସବୁ ଭକ୍ତଙ୍କ ମନରେ କ୍ଷୋଭ ଓ ଉଦବେଗ ସୃଷ୍ଟି କରିଛି।  ସେମାନେ ଆଶଙ୍କା କରୁଛନ୍ତି- କିଛି ବଡ଼ ସଂକେତ ସଂକେତ ଦେଇଗଲେ ବି ମହାପ୍ରଭୁ ବଳଭଦ୍ର ? ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ନିକଟରେ ବି ଅଘଟଣ ଘଟିଥିଲା । ସଂସ୍କୃତି ବିଶାରଦ ବି ଆଶଙ୍କା କରିଛନ୍ତି- ଆହୁରି କିଛି ଅଘଟଣ ଘଟିବନି ତ ?