ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଘୋଷଣା କରିଛି ବିସିସିଆଇ, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

1 min read

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଓ୍ବେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ଚାମ୍ପିୟନ ହୋଇ ଦୀର୍ଘବର୍ଷ ପରେ ଆଇସିସି ଟ୍ରଫି ହାତେଇବାରେ ସଫଳ ହୋଇଛି ଭାରତ । ଦ୍ବିତୀୟଥର ପାଇଁ ଟି-୨୦ ବିଶ୍ବକପ ହାତେଇଥିବା ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ତେବେ ଏହି ରାଶିରୁ କାହା ଭାଗରେ କେତେ ପଡ଼ିବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବାବେଳେ ଆସନ୍ତୁ ଜାଣିବା କେମିତି ଦିଆଯାଏ ଏହି ଟଙ୍କା ଏବଂ କାହାକୁ ମିଳିବ କେତେ ରାଶି ।

ଟି-୨୦ ବିଶ୍ବକପ ଖେଳିବା ପାଇଁ ଯାଇଥିବା ୧୫ ଜଣ ଖେଳାଳିଙ୍କୁ ୫ କୋଟି ଟଙ୍କା ଲେଖାଏଁ ଦେବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି । ତେବେ ଏହି ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ୩ ଜଣ ଖେଳାଳି ଗୋଟିଏ ମଧ୍ୟ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ । ଏମାନେ ହେଲେ ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ ଏବଂ ଜଶସ୍ବୀ ଜୟସ୍ବାଲ । ସେପଟେ ରିଜର୍ଭ ପ୍ଲେୟାର ଭାବେ ଯାଇଥିବା ୪ ଜଣ ଖେଳାଳି ରିଙ୍କୁ ସିଂ, ଆଭେଶ ଖାନ, ଖଲିଲ ଅହମ୍ମଦ ଏବଂ ଶୁଭମନ ଗିଲଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଦେବାକୁ ସ୍ଥିର କରାଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେପଟେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ୨.୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ରାହୁଲ ଦ୍ରାବିଡ଼ଙ୍କ ସହ ଅନ୍ୟ କୋଚିଂ ଷ୍ଟାଫଙ୍କୁ ମଧ୍ୟ ୨.୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହ ବ୍ୟାକରୁମ କର୍ମଚାରୀଙ୍କୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଟିମ ଇଣ୍ଡିଆର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ୩୬ ରହିଛନ୍ତି । ଏହି ୩୬ ଜଣଙ୍କ ମଧ୍ୟରେ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ।