ରଥଯାତ୍ରାର ଅଭିନନ୍ଦନ ଜଣାଇ ଏମିତି କହିଲେ ବିରେନ୍ଦ୍ର ସେହୱାଗ

ନୂଆଦିଲ୍ଲୀ: ରଥ ଦଉଡିକୁ ଛୁଇଁବ ଆମ ଦୁଇ ହାତ ଆଉ ଆମ ଜୀବନ ଦଉଡି ପ୍ରଭୁ ଜଗନ୍ନାଥଙ୍କ ହାତରେ  । ରଥଯାତ୍ରା ଉପଲକ୍ଷେ ଏମିତି କିଛି ଟ୍ବିଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ  । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମଗ୍ର ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ  । ଏଥିରୁ ବାଦ୍‌ ପଡିନି କ୍ରିକେଟ ଜଗତ  । ସେହୱାଗଙ୍କ ଟ୍ବିଟକୁ ଖବର ଲେଖାହେବା ସୁଦ୍ଧା ୬ ହଜାରରୁ ଉର୍ଦ୍ଧ୍ବ ଲୋକେ ଲାଇକ କରିଛନ୍ତି  । ସେହିପରି ପାଖାପାଖି ୫୦୦ ଲୋକେ ଏହି ପୋଷ୍ଟକୁ ରିପୋଷ୍ଟ କରୁଛନ୍ତି  ।

ଆଜିଠୁ ନବଦିନାତ୍ମକ ଯାତ୍ରାରେ ତିନି ଠାକୁର  । ଘୋଷଯାତ୍ରାରେ ବାହାରି ମାଉସୀ ଘର ଯିବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଭାଇ ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା  । ମହାପ୍ରଭୁ ସମସ୍ତଙ୍କ ଉପରେ କୃପା ବର୍ଷାଉଥାନ୍ତୁ ବୋଲି ଜଗନ୍ନାଥପ୍ରେମୀ ସୋସିଆଲ ମିଡିଆରେ ଶୁଭକାମନା ଜଣାଇଛନ୍ତି  ।

ସେହିପରି ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସାଂସଦ  । ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି  । ଦେଶବାସୀଙ୍କ ଉପରେ ମହାପ୍ରଭୁ ଅପାର କରୁଣା ବର୍ଷାନ୍ତୁ ବୋଲି ସେ କାମନା କରିଛନ୍ତି  । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି  ।