ଭକ୍ତଙ୍କ ଗହଳିରେ ଉଛୁଳିଲାଣି ଶ୍ରୀକ୍ଷେତ୍ର

ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ଘୋଷଯାତ୍ରା । ପୁରୀରେ ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ । ଭକ୍ତ ଗହଳିରେ ଉଛୁଳିଲାଣି ବଡ଼ଦେଉଳରୁ ବଡ଼ଦାଣ୍ଡ । ପୋଲିସ ପ୍ରସ୍ତୁତ, ପ୍ରଶାସନ ବି ପ୍ରସ୍ତୁତ । ସକାଳଧୂପ ପରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ପହଞ୍ଚିବା ପରେ ସିଂହଦ୍ବାର ସମ୍ମୁଖକୁ ଟଣା ହେଲେ ୩ ରଥ । ସେପଟେ ରଥଯାତ୍ରା ନିର୍ଘଣ୍ଟ ନୀତି ଅନୁସାରେ ପ୍ରସ୍ତୁତ ହୋଇସାରିଲେଣି ସେବାୟତ ଓ ପ୍ରଶାସନ ।

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଭକ୍ତ ଗହଳିରେ ଉଛୁଳିଲାଣି ଶ୍ରୀକ୍ଷେତ୍ର । ଘୋଷଯାତ୍ରା ପାଇଁ ଶେଷ ପର୍ଯ୍ଯାୟରେ ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଅଣାଯାଇଛି । ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା, କାହାଳୀ ସହ ରଥଖଳା ନିକଟକୁ ବିଜେ କରାଇଥିଲେ । ତେବେ ଚଳିତ ବର୍ଷ ତିଥି କ୍ଷୟ ଯାଉଥିବାରୁ ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ର ଉତ୍ସବ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଶ୍ରୀବିଗ୍ରହଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ନଆସି ପଟି ଦିଅଁଙ୍କ ନିକଟରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥତ୍ରୟ ନିକଟକୁ ବିଜେ କରାଇଛନ୍ତି । ପରମ୍ପରା ଅନୁଯାୟୀ, ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ରଥରେ ଏବଂ ଶେଷରେ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ତାଳଧ୍ୱଜ ରଥରେ ବିଜେ କାହାଳୀ ଦିଆଯିବା ପରେ ତିନିରଥ ଶ୍ରୀମନ୍ଦିର ନିକଟକୁ ଅଣାଯାଇଥିଲା । ପ୍ରଥମେ ନନ୍ଦିଘୋଷ ପରେ ଦେବଦଳନ ଓ ଶେଷରେ ସିଂହଦ୍ବାର ଆଗରେ ଲାଗିଥିଲା ତାଳଧ୍ବଜ ରଥ । ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ମଧ୍ଯରେ ଦେଖିବାକୁ ମିଳିଥିଲା ଅପୂର୍ବ ଉତ୍ସାହ ।

୧୩ ଦିନ ଅନବସର ପରେ ରଥ ଉପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ୫୩ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁଲ୍ଲଭ ଯୋଗ ପଡ଼ିଛି । ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତିକାନ୍ତି କରାଯିବ । ରାତ୍ର ୨ ଟାରୁ ଦ୍ୱାର ପିଠାଯିବ । ୨ ଟା ୪୦ ରେ ଦଶବତାର ଠାକୁର ବାହୁଡା଼ ବିଜେ, ୩ ଟାରେ ତାଟି ପିଠାଯିବ, ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା କରାଯିବ, ୪ଟା ୪୫ରେ ଯାତ୍ରାଙ୍ଗି ମହାସ୍ନାନ, ସକାଳ ୬ ରୁ ୭ ଟା ଗୋପାଳ ବଲ୍ଳଭ ଓ ସକାଳ ଧୂପ, ୭. ୩୦ରୁ ୧୨ ଟା ସେନାପଟା ଲାଗି, ଦିନ ୧୧ ଟାରେ ରଥ ପ୍ରତିଷ୍ଠା, ଦିନ ୧ ଟାରେ ମଙ୍ଗଳା ଅର୍ପଣ, ଗୋଟାଏ ୧୦ରେ ରେ ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ରେ ଶେଷ ହେବ ।

୩ଟାରେ ଶ୍ରୀମଦନ ମୋହନ, ରାମକୃଷ୍ଣ ବିଜେ, ୪ ଟାରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ପରେ ଚାରମାଳ ପିଟାହେବା ସହ ସାରଥୀ, ଘୋଡା ଲଗାଯିବ । ସନ୍ଧ୍ୟା ୫ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ଦୁଇଦି ହେବ ରଥଟଣା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୮୦ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସମ୍ପୂର୍ଣ୍ଣ ପୁରୀ ସହର କୁ ବ୍ଲୁ ବ୍ଲାଙ୍କେଟ ସୁରକ୍ଷା ବଳୟରେ ରଖାଯିବ । ଟ୍ରାଫିକ ପାଇଁ ସ୍ୱତ୍ରନ୍ତ ମୋବିଲିଟି ପ୍ଲାନ ପ୍ରସ୍ତୁତ ହୋଇଛି । ରବିବାର ଦିନ ୧୧ ଟା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ରହିଛି । ୪ଟା ୪୦ ରୁ ଟା ୫ଟା ୪୦ ମଧ୍ୟରେ ରାଷ୍ଟ୍ରପତି ରଥଯାତ୍ରା ଉତ୍ସବରେ ଯୋଗଦେବେ।