‘ରତ୍ନଭଣ୍ଡାର ଖୋଲିବା ନେଇ ଧାର୍ଯ୍ୟ ହୋଇନି ତାରିଖ’

ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇନି ନିଷ୍ପତ୍ତି । ପରବର୍ତ୍ତୀ ବୈଠକ ଆସନ୍ତା ୯ ତାରିଖରେ ବସିବ। ସେଦିନ ଟ୍ରେଜେରୀରେ ଥିବା ଡୁପ୍ଲିକେଟ ଚାବିକୁ ଯାଞ୍ଚ କମିଟି ଆଗରେ ପ୍ରଡ୍ଯୁସ କରାଯିବ । ସେହିଦିନ ହିଁ କେବେ ରତ୍ନଭଣ୍ଡାର ଖୋଲିବ ସେ ନେଇ ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଶେଷ ପରେ ଗଣମାଧ୍ଯମକୁ ଏହି ସୂଚନା ଦେଇଛନ୍ତି ଯାଞ୍ଚ କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।

ତେବେ ବହୁଦିନରୁ ସେ ଚାବି ଓ ତାଲା ଥିବାରୁ ଖୋଲିବ କି ନାହିଁ ସେ ନେଇ ସନ୍ଦେହ ରହୁଛି । ଆବଶ୍ଯକ ପଡିଲେ ରତ୍ନଭଣ୍ଡାର ଘର ତାଲାକୁ ଭଙ୍ଗାଯିବ । ଏଥିପାଇଁ ଏକ ଏସଓପି ଆସିବ । ଏସଓପି ଅନୁସାରେ ତାଲା ଭଙ୍ଗା ପ୍ରକ୍ରିୟା କରାଯିବ। ତାଲା ଭଙ୍ଗାପରେ ଯାଞ୍ଚ କମିଟି କେବଳ ଅଳଙ୍କାର ଗଣତି ଓ ମଣତି ତଦାରଖ କରିବ । ଗଣତି ମଣତିରେ କିଏ ରହିବେ କମିଟି ପ୍ରସ୍ତାବ ଦେବ । ଯେଉଁଠି ମରାମତି ଦରକାର ଥିବ ସେ କାମ ମଧ୍ଯ କରାଯିବ । ମରାମତି ସମ୍ପର୍କରେ ମଧ୍ଯ ଏକ ସ୍ୱତନ୍ତ୍ର ଏସଓପି କରାଯିବ । ତେବେ ଜୁଲାଇ ୧୯ତାରିଖ ଭିତରେ ରତ୍ନଭଣ୍ଡାର ଖୋଲିବା ନେଇ ଆଶା ରହିଛି ବୋଲି କହିଛନ୍ତି ଜଷ୍ଟିସ ରଥ ।