ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତିହାର ଜେଲରୁ ଗିରଫ କଲା ସିବିଆଇ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଗିରଫ। ଦିଲ୍ଲୀର ତିହାର ଜେଲରୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ନୀତି ମାମଲାରେ କେଜରିୱାଲଙ୍କୁ ଗିରଫ କରିଛି ସିବିଆଇ। ତିହାର ଜେଲରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ଇଡି ଜାମିନ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସିବିଆଇ କେଜରିୱାଲଙ୍କୁ ଗିରଫ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଏବେ ସିବିଆଇ କେଜରିୱାଲଙ୍କୁ ଗିରଫ କରିଛି।  କେଜରିୱାଲଙ୍କ ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଥିଲେ।

ତଳ କୋର୍ଟ ଯେଉଁ ଜାମିନ ଦେଇଥଲେ, ତା ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କହିଛନ୍ତି, ଇଡିର ପକ୍ଷକୁ ଠିକ୍ ଭାବେ ଶୁଣାଣି କରାଯାଇନାହିଁ। ତଳ କୋର୍ଟଙ୍କ ନିଷ୍ପତ୍ତିରେ ତ୍ରୁଟି ଥିଲା। ତଳ କୋର୍ଟଙ୍କ ଜାମିନ ଉପରେ ରହିତାଦେଶ ଜାରି କରାଯାଇଥିବାରୁ ବର୍ତ୍ତମାନ ଜେଲରୁ ବାହାରି ପାରିବେ ନାହିଁ କେଜରିୱାଲ। ସେପଟେ ଆପ୍ କହିଛି, ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯିବୁ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଇଡି ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀର ଏକ କୋର୍ଟ ଜୁନ୍ ୨୦ରେ ତାଙ୍କୁ ଜାମିନ ଦେଇଥିଲେ। ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା ଇଡି। ଜୁନ ୨୧ରେ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ କେଜରିୱାଲ। କିନ୍ତୁ ହାଇକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ଯନ୍ତ ହସ୍ତକ୍ଷେପ କରିବାକୁ ମନା କରିଥିଲେ ସୁପ୍ରିମକୋର୍ଟ। ସେପଟେ ଜୁଲାଇରେ କେଜରିୱାଲଙ୍କ ମୂଳ ଜାମିନ ମାମଲାର ଶୁଣାଣି ହେବ। ଏହା ଆଗରୁ ନିର୍ବାଚନ ସମୟରେ ସୁପ୍ରିମକୋର୍ଟ କିଛି ଦିନ ପାଇଁ କେଜରିୱାଲଙ୍କୁ ଜାମିନ ଦେଇଥିଲେ।