ଉଗ୍ର ହେଉଛି କାଳି ଫିଙ୍ଗା ବିବାଦ, କଂଗ୍ରେସ ଭବନରେ ଝୁଲିଲା ତାଲା

ଭୁବନେଶ୍ବର: କଂଗ୍ରେସ ଭବନରେ ଝୁଲୁଛି ତାଲା । ପିସିସି ଓ ଅସନ୍ତୋଷ କଂଗ୍ରେସ ନେତାଙ୍କ ବିବାଦ ଉଗ୍ରରୂପ ନେବାରେ ଲାଗିଛି । ଜୁନ ୨୧ରେ ପିସିସି ସଭାପତିଙ୍କ ଉପରକୁ କାଳିମାଡ଼ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣାକୁ ନେଇ କଂଗ୍ରେସର ଗୋଷ୍ଠୀ ବିବାଦ ଉଗ୍ର ହେବା ସହ ୫ ଜଣଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି ପିସିସି । ଯାହା ବିରୋଧରେ ଅସନ୍ତୁଷ୍ଠ ଗୋଷ୍ଠୀ ଏକାଠି ହେବା ସହ କିଛି ନେତା କଂଗ୍ରେସ ଭବନରେ ଆଗରେ ଅନଶନ କରିଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି କଂଗ୍ରେସ ରାଜନୀତି ।

ଜୁନ ୨୧ରେ ପିସିସି ସଭାପତିଙ୍କ ଉପରେ କାଳିମାଡ଼ କରିବା ପରେ କଂଗ୍ରେସରେ ଗୋଷ୍ଠୀ ବିବାଦ ଉଗ୍ର ହୋଇଛି । ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଯୁବ, ମହିଳା ଓ ଛାତ୍ର ଗୋଷ୍ଠୀର ୫ ଜଣ ସଦସ୍ୟକୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିବା ପରେ ହାତ ଶିବିରରେ ତେଜିଛି ଅସନ୍ତୋଷର ନିଆଁ । ଅସନ୍ତୋଷ ଗୋଷ୍ଠୀଙ୍କ ହଙ୍ଗାମା ପରେ ସୋମବାର କଂଗ୍ରେସ ଭବନରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି ସଦ୍ୟ ଦଳରୁ ବହିଷ୍କାର ହୋଇଥିବା ଶ୍ରୀୟାସ୍ମିତା ପଣ୍ଡା । ଦଳ ବିରୋଧୀ କାମ ନକରି କାହିଁକି ପିସିସି ପକ୍ଷରୁ ବହିଷ୍କାର କରାଗଲା ସେ ପ୍ରଶ୍ନ ଉଠାଇଛନ୍ତି । ସିଧା ସିଧା ସଭାପତିଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଭବନ କାହାର ସମ୍ପତ୍ତି ନୁହେଁ ବୋଲି କହି ଧାରଣା ଦେଇଛନ୍ତି ।

ସେପଟେ ଦଳ ବିରୋଧୀ କାର୍ଯ୍ୟ ଓ ଶୃଙ୍ଖଳା ଭଙ୍ଗ କରିଥିବା ୫ ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯିଏ ବି ଦଳ ବିରୋଧୀ କାମ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

କଂଗ୍ରେସ ଭବନରେ ତାଲା ଓ ନାରୀ ନେତ୍ରୀ ଧାରଣାରେ ବସିଥିବା ବେଳେ ପିସିସି ପକ୍ଷରୁ ଏହାର କୌଣସି ସମାଧାନ କରାଯାଇନି । ଦଳର ବରିଷ୍ଠ ନେତାମାନେ ବି ବିବାଦର ସମାଧାନ ପାଇଁ ବାଟ କାଢୁ ନାହାନ୍ତି । ଯାହା କଂଗ୍ରେସକୁ ଅଧିକ କ୍ଷତି ପହଞ୍ଚାଉଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ୨୪ ବର୍ଷ ଧରି ଗୋଷ୍ଠୀ ବିବାଦ ଯୋଗୁଁ କଂଗ୍ରେସର ଭୋଟ ହାର ୩୩ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଞ୍ଚିଲାଣି ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ।