କାଲିଠୁ ବାଲେଶ୍ବରରେ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ବର: ସୁଧୁରୁଛି ବାଲେଶ୍ବର ସ୍ଥିତି । ଆସନ୍ତାକାଲିଠାରୁ ସହରରେ ମିଳିବ ମୋବାଇଲ ଇଣ୍ଟରନେଟ୍ ସେବା । ସକାଳୁଆ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ।

ତେବେ କାଲି ଭଳି ସହରରେ ରହିବ କର୍ଫ୍ୟୁର ସ୍ଥିତି । ଶିଳ୍ପାଞ୍ଚଳରୁ କର୍ଫ୍ଯୁ ସମ୍ପୂର୍ଣ୍ଣ ଭାବେ ହଟିଥିବାବେଳେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ୯ ଟା ମଧ୍ଯରେ କୋହଳ ହେବ କଟକଣା । ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସୋମବାର ଗଣ୍ଡଗୋଳ ଯୋଗୁଁ ଲାଗୁ ହୋଇଥିଲା କର୍ଫ୍ଯୁ ।

ଘଟଣାରେ ୨୧ଟି ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୯ ଜଣଙ୍କୁ ଗିରଫ କରାଯାଇଛି । ତେବେ ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି କରିଥିବା ବିଷୟରେ ଗୋଟିଏ ମାମଲା ରୁଜୁ ହୋଇଛି । କୌଣସି ଗୁଜବ ସୃଷ୍ଟି କଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ଓ ଜିଲ୍ଲାପାଳ ଆଶିଷ ଠାକରେ ।