ନିଟ୍ ପେପର୍ ଲିକ ମାମଲା: ତଦନ୍ତ ପାଇଁ ଯାଇଥିବା CBI ଟିମ ଉପରେ ଆକ୍ରମଣ

ବିହାର: ନିଟ୍ ପେପର ଲିକ୍ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ । ସିବିଆଇ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ଯାଞ୍ଚ କରୁଛି । ତେବେ ପ୍ରଥମ ଦିନରେ ସିବିଆଇ ଟିମ୍ ଉପରେ ହୋଇଛି ଆକ୍ରମଣ । ବିହାରରେ ତଦନ୍ତରେ ଯାଇଥିବା ସିବିଆଇ ଟିମ୍ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ବିହାର ନବାଦା ଅଞ୍ଚଳର କାସିଆଡିହିରେ ସିବିଆଇ ଟିମ ଉପରେ ଆକ୍ରମଣ ହୋଇଛି । ନକଲି ସିବିଆଇ ଟିମ ଭାବି ସ୍ଥାନୀୟ ଲୋକେ ଏହି ଆକ୍ରମଣ କରିଥିବା ଜଣାପଡିଛି । ଯାଞ୍ଚ ଟିମ୍ ଯାଇଥିବା ଗାଡିର କାଚ ଗାଁ ଲୋକେ ଭାଙ୍ଗି ଦେଇଛନ୍ତି ।

ଖବର ପାଇ ରଜୌଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିବିଆଇର ୪ ଅଧିକାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଛି ।