ନିଟ୍ ମାମଲା: କେବଳ ପେପର ଲିକ୍ ନୁହେଁ, ପ୍ରକ୍ସି କ୍ୟାଣ୍ଡିଡେଟ ବ୍ୟବସ୍ଥା ବି ଥିଲା

ନୂଆଦିଲ୍ଲୀ: ନିଟ୍ ବିବାଦ ଯେତେ ଘନଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଖବର, ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଜ୍ଞା ହଁ ନିଟ୍ ଅନିୟମିତତା କେବଳ ପେପର୍ ଲିକରେ ସୀମିତ ନଥିଲା । ଏଥିରେ ଏକ ସଲଭର ଗ୍ଯାଙ୍ଗର ସମ୍ପୃକ୍ତି ବି ସାମ୍ନାକୁ ଆସିଛି । ଏହି ଗ୍ଯାଙ୍ଗ ପ୍ରଶ୍ନପତ୍ର ମାମଲା ସହ ପ୍ରକ୍ସି କ୍ଯାଣ୍ଡିଡେଟଙ୍କ ବ୍ଯବସ୍ଥା ବି କରୁଥିଲେ ।

ପ୍ରକ୍ସି କ୍ୟାଣ୍ଡିଡେଟା ଅର୍ଥ ହେଉଛି ପ୍ରକୃତ ଛାତ୍ରଙ୍କ ପାଇଁ ହଲରେ ବସି ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ । ସଲଭର ଗ୍ୟାଙ୍ଗ ଏହି ନକଲି ଛାତ୍ରଙ୍କ ବ୍ୟବସ୍ଥା କରୁଥିଲେ । ଯେଉଁମାନେ ପ୍ରକୃତ ଛାତ୍ରଙ୍କ ବଦଳରେ ପରୀକ୍ଷା ଦେବାକୁ ଯାଉଥିଲେ । ଏହି ଗ୍ଯାଙ୍ଗର ମାଷ୍ଟରମାଇଣ୍ଡ ବିହାରର ରବି ଅତ୍ରି ଥିଲା ବୋଲି ସୂଚନା ମିଳିଛି । ଅତ୍ରି ଯେଉଁ ଗ୍ୟାଙ୍ଗ ଚଳାଉଥିଲା ତାହାକୁ ସଲଭର ଗ୍ଯାଙ୍ଗ କୁହାଯାଉଥିଲା । ଉତ୍ତର ଲେଖାଯାଇଥିବା ପ୍ରଶ୍ନପତ୍ରକୁ ଏହି ଗ୍ଯାଙ୍ଗ ପ୍ରସାରଣ କରି ଅର୍ଥ ଉପାର୍ଜନ କରୁଥିଲା ।

ଅତୀତରେ ପେପର ଲିକ୍ ମାମଲାରେ ବି ସେ ସମ୍ପୃକ୍ତ ଥିଲା । ବିଭିନ୍ନ ରାଜ୍ଯର ଏଗଜାମ ମାଫିଆ ସହ ତାର ସମ୍ପର୍କ ଥିଲା । ବିଶେଷ କରି ପରୀକ୍ଷା ପୂର୍ବଦିନ ଏହି ପେପର ଲିକ କରାଯାଉଥିଲା । ପରୀକ୍ଷାର୍ଥୀଙ୍କ ବଦଳରେ ପ୍ରକ୍ସି କ୍ୟାଣ୍ଡିଡେଟ ଭାବେ ଜଣେ ମୁନ୍ନା ଭାଇଙ୍କୁ ଯୋଗାଡ କରାଯାଉଥିଲା । ମୁନ୍ନା ଭାଇ ଜଣକ ଅଧିକ ମାର୍କ ରଖିବେ ବୋଲି ପରୀକ୍ଷାର୍ଥୀଙ୍କୁ କୁହାଯାଇ ବିପୁଳ ଅର୍ଥ ତାଙ୍କଠାରୁ ନିଆଯାଉଥିଲା । ୨୦୦୭ରେ ରବି ଅତ୍ରିକୁ ମେଡିକାଲ ପଢାଇବା ଲାଗି ବାପା ମା ସ୍ଥିର କରିଥିଲେ । ସେଥିପାଇଁ ତାଙ୍କୁ ରାଜସ୍ଥାନ କୋଟାକୁ ପଠାଇଥିଲେ । ସେ ୨୦୧୨ରେ ମେଡିକାଲ ପାସ୍ କରି ପିଜିଆଇ ରୋହତକରେ ଆଡମିଶନ କରିଥିଲେ । ମାତ୍ର ଚତୁର୍ଥ ବର୍ଷରେ ସେ ପାଠ ଛାଡି ଦେଲେ । ପରେ ସେ ଏଗଜାମ ମାଫିଆଙ୍କ ସହ ସମ୍ପର୍କରେ ଆସିଥିଲେ ଏବଂ ପ୍ରକ୍ସି ଭାବେ ପରୀକ୍ଷା ଦେଇଥିଲେ । ପରେ ସେ ସେହି ଜଗତର ସାଜିଥିଲେ ବାଦଶା । ରବି ପୂର୍ବରୁ ୨୦୧୨ରେ ପ୍ରିମେଡିକାଲ ଟେଷ୍ଟ, ୨୦୧୫ରେ ଏମସ ପିଜି ପେପର ଲିକ୍ ମାମଲାରେ ଗିରଫ ହୋଇ ଜେଲରେ ଥିଲା । ଗତ ଏପ୍ରିଲରେ ତାକୁ ଗିରଫ କରିଥିଲା ଉତ୍ତରପ୍ରଦେଶ ଏସଟିଏଫ । ସଲଭର ଗ୍ୟାଙ୍ଗର ଅନ୍ଯ ଜଣେ ସହଯୋଗୀ ଥିଲା ସଞ୍ଜୀବ ମୁଖିଆ । ସେ ନେପାଳ ଚାଲିଯାଇଥିବା ଆଶଙ୍କା କରାଯାଉଛି ।