ଶରତଙ୍କୁ କାଳିମାଡ଼ ଘଟଣା: ୫ କର୍ମୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ବର: ଆକ୍ସନ ମୁଡରେ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ୫ କର୍ମୀ । ବହିଷ୍କୃତ କଂଗ୍ରେସ କର୍ମୀ ହେଲେ ପ୍ରକାଶ ମିଶ୍ର, ଶ୍ରୀୟସ୍ମିତା ପଣ୍ଡା, ସନ୍ଦୀପ ରାଉତରାୟ, ଅମରେଶ ପରିଡା ଏବଂ ଆର୍ଯ୍ଯନ ସାସମଲ ।

ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ସୁପାରିସ ଆଧାରେ ଏମାନଙ୍କୁ ଦଳରୁ ବହିଷ୍କାର କରାଯାଇଛି । ପ୍ରକାଶ ପିସିସି ସାଧାରଣ ସମ୍ପାଦକ ଥିବା ବେଳେ ଶ୍ରୀୟାସ୍ମିତା ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଥିଲେ । ସେହିପରି ସନ୍ଦୀପ ଏନଏସୟୁଆଇ ସମ୍ପାଦକ, ଅମରେଶ ଯୁବ କଂଗ୍ରେସ ରାଜ୍ଯ ସମ୍ପାଦକ ଏବଂ ଆର୍ଯ୍ୟନ ଏନଏସୟୁଆଇ ରାଜ୍ଯ ସମ୍ପାଦକ ଥିଲେ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ଼ ହୋଇଥିଲା । କିଛି ଯୁବକ ଶରତ ପଟ୍ଟନାୟକ ହାଏ ହାଏ କହି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ । ଏହାପରେ ସେମାନେ ପିସିସି ସଭାପତିଙ୍କ ପ୍ରକୋଷ୍ଠକୁ ଯାଇ ତାଙ୍କ ସହ ହାତ ମିଳାଇଥିଲେ । ଏହାପରେ ପକେଟରୁ କାଳି ବାହାର କରି କାଳିମାଡ଼ କରିଥିଲେ । କାଳି ମାଡ଼ରେ ଶରତ ଗାଧୋଇ ପଡ଼ିଲା ଭଳି ଦେଖା ଯାଉଥିଲା । କାଳି ମାଡ଼ କରିବା ପରେ ଯୁବକମାନେ ସେଠାରୁ ଫେରି ଯାଇଥିଲେ ।