ଉପନିର୍ବାଚନରେ ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିପାରନ୍ତି ମମତା ବାନାର୍ଜୀ

ନନ୍ଦିଘୋଷ ବ୍ୟୁରୋ: କେରଳର ୱାୟନାଡରୁ ଇଲେକ୍ସନ ଡେବ୍ଯୁ କରିବେ ରାଜୀବ ତନୟା ପ୍ରିୟଙ୍କା ଗାନ୍ଧି ଭଦ୍ରା । ଜୀବନର ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଠାରେ ହେବାକୁ ଥିବା ଉପନିର୍ବାଚନରେ ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ମମତାଙ୍କୁ ଅନୁରୋଧ କରାଯାଇଥିଲା। ସବୁ ବିବାଦକୁ ଭୁଲି କଂଗ୍ରେସ ଓ ପ୍ରିୟଙ୍କାଙ୍କ ପାଇଁ ମମତା ପ୍ରଚାର କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ଗତ ସାଧାରଣ ନିର୍ବାଚନରେ ପ୍ରିୟଙ୍କା ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରଥମେ ମମତା ହିଁ ପ୍ରସ୍ତାବ ଦେଇଥିଲେ। ପଞ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମସି ପୃଥକ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ମମତା ଇଣ୍ଡିଆ ମେଣ୍ଟକୁ ରାଜ୍ୟ ବାହାରେ ସମର୍ଥନ କରିଥିଲେ। ଗତକାଲି ବରିଷ୍ଠ କଂଗ୍ରେସ ନେତା ପି. ଚଦାମ୍ବରମ ପଞ୍ଚିମବଙ୍ଗ ଯାଇ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିବାକୁ ମମତା ବାନାର୍ଜୀ ରାଜି ହୋଇଥିବା ଜଣାପଡିଛି। ସାଧାରଣ ନିର୍ବାଚନରେ ୱାୟନାଡରୁ ରାହୁଲ ଗାନ୍ଧି ବିଜୟୀ ହୋଇଥିଲେ। ଏଥିସହ ସେ ରାଏବରେଲୀରୁ ମଧ୍ୟ ଜିତିଥିଲେ।

ଦୁଇଟି ଆସନରେ ଜିତିଥିବାରୁ ବାଧ୍ୟ ହୋଇ ୱାୟନାଡ ତାଙ୍କୁ ଛାଡ଼ିବାକୁ ପଡ଼ିଛି। ଓ୍ବାୟନାଡ଼ରେ ରାହୁଲ ଗାନ୍ଧି ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା ସିପିଆଇ ପ୍ରାର୍ଥୀ ଆନ୍ନି ରାଜାଙ୍କୁ ପରାସ୍ତ କରିଥିଲେ। ଏଠାରେ ବିଜେପି ପ୍ରାର୍ଥୀ କେ. ସୁରେନ୍ଦ୍ରନଙ୍କୁ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଥିଲା। ରାହୁଲ ଗାନ୍ଧିଙ୍କୁ ୬ ଲକ୍ଷ ୪୭ ହଜାର ୪୪୫ ଖଣ୍ଡ ଭୋଟ ମିଳିଥିବା ବେଳେ, ଆନ୍ନି ରାଜାଙ୍କୁ ୨ ଲକ୍ଷ ୮୩ ହଜାର ୨୩ ଖଣ୍ଡ ଓ ବିଜେପି ପ୍ରାର୍ଥୀ କେ. ସୁରେନ୍ଦ୍ରନଙ୍କୁ ୧ ଲକ୍ଷ ୪୧ ହଜାର ୪୫ ଖଣ୍ଡ ଭୋଟ ମିଳିଥିଲା। ରାହୁଲ ଆସନ ଛାଡ଼ିଥିବାରୁ ଏଠାରେ ଉପନିର୍ବାଚନ ହେବ। ରାହୁଲଙ୍କ ସ୍ଥାନରେ ପ୍ରିୟଙ୍କାଙ୍କୁ  ୱାୟନାଡରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି କଂଗ୍ରେସ । ପ୍ରିୟଙ୍କା ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।