ଓଡ଼ିଶାରେ ପୁଣି ମାଡ଼ିଲା ଜାପାନିଜ୍ ଏନସେଫାଲିଟିସ୍

ଅନୁଗୁଳ: ଓଡ଼ିଶାରେ ପୁଣି ଜାପାନିଜ୍ ଏନସେଫାଲିଟିସ୍ ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା ଜଣାପଡ଼ିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଛି । ଅନୁଗୁଳରେ କେଉଁ ପରିସ୍ଥିତିରେ ଜେଇ ବ୍ୟାପିଲା ଓ ଏହାର ପ୍ରକୃତ କାରଣ କ’ଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗରୁ ଏକ ଚାରି ଜଣିଆ ଟିମ୍ ଅନୁଗୁଳ ଗସ୍ତରେ ଆସିଛନ୍ତି ।

ଜିଲ୍ଲାରେ ମ୍ୟାଲେରିଆଠାରୁ ଆରମ୍ଭ କରି ଜେଇ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ଏହି ଟିମ୍ । ତେବେ ଏହି ରୋଗ ଘୁଷୁରୀଠାରୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ରେଗୁଲାର ଏହି ରୋଗ ପାଇଁ ଟୀକାକରଣ ହେଉଥିବାରୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାନନ୍ଦ ମହାନ୍ତି କହିଛନ୍ତି ।

ରାଜ୍ୟରେ ୨୦୧୨ରେ ମାଲକାନଗିରିରେ ଜେଇ ଆତଙ୍କ ସୃଷ୍ଟି କରିଥିଲା । ସେଠାରେ ୨୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହାବ୍ୟତୀତ ଦୁଇ ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଆରଏମଆରସି ପକ୍ଷରୁ ଏହାର କାରଣ ଖୋଜା ଯାଇଥିଲା । ମଶା କାମୁଡ଼ାରୁ ଏହି ରୋଗ ହେଉଥିବା ଜଣାପଡ଼ିବା ପରେ ଟୀକା ଦିଆଯାଇଥିଲା ।