ବାଲେଶ୍ବରରେ ନିୟନ୍ତ୍ରଣକୁ ଆସୁଛି ସ୍ଥିତି, ଆଜି ଦିନ ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣାରେ କୋହଳ

ବାଲେଶ୍ବର : ବାଲେଶ୍ବରରେ ଶୁକ୍ରବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୋହଳ କର୍ଫ୍ୟୁ। କେବଳ ଲିଜ୍ ଲାଇନ୍ ମାଧ୍ୟମରେ ବ୍ୟାଙ୍କ୍ ଭଳି ବ୍ୟାବସାୟିକ ପ୍ରତିଷ୍ଠାନକୁ ଇଣ୍ଟରନେଟ ମିଳିବ। ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ। ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ସହରରେ ୪୦ ପ୍ଲାଟୁନ ଫୋର୍ସ ସମେତ ୬ କମ୍ପାନୀ ବିଏସଏଫ୍ ଯବାନ ମୁତୟନ ଅଛନ୍ତି।

ଅନ୍ୟପଟେ ବାଲେଶ୍ଵରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ। ଏଡିଜି ସଞ୍ଜୟ କୁମାର, ଆଇଜି ଦୀପକ କୁମାର, ଏଡିଆଜି ବି. ଯୁଗଳ କିଶୋର, ଏସପି ବି. ଗଙ୍ଗାଧର, ବାଲେଶ୍ବର ଏସପି ସାଗରିକା ନାଥଙ୍କ ସହ କରିଛନ୍ତି ଆଲୋଚନା। ଅନ୍ୟପଟେ ଇଣ୍ଟରନେଟ ପାଇଁ ରାସ୍ତା କଡରେ ଲୋକଙ୍କ ଭିଡ ଜମିଛି।

ବାଲେଶ୍ବର ସହରରେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ଲୋକେ ବାଇକରେ ଆସି ସହର ପାଖ ରେମୁଣା, କୁରୁଡା, ଫୁଲଆଡି ରାସ୍ତା ପାଖରେ ଭିଡ ଜମାଇଛନ୍ତି। ବାଇକ୍ ଉପରେ ବସି ଲୋକେ ଟଙ୍କା ଦେଣ ନେଣ ସାଙ୍ଗକୁ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ବାଲେଶ୍ବର ସହରରେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।