ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

1 min read

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୁରମା ପାଢୀ। ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ନାମାଙ୍କନ ଦାଖଲ କରିଥିଲେ। ତାଙ୍କୁ ସର୍ବସମ୍ମତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ କରିବାକୁ ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବକୁ ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ କରିଥିଲେ । ଏହାପରେ ସୁରମା ସର୍ବସମ୍ମତ ଓ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏନେଇ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାର ସ୍ବାଇଁ ଘୋଷଣା କରିବା ପରେ ଗୃହର ସଦସ୍ଯଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିବା ସହ ଆସନ ଅଳଙ୍କୃତ କରିଥିଲେ ସୁରମା । ଆସନ ଗ୍ରହଣ କରିବା ପରେ ବାଚସ୍ପତି ଗୃହ ପରିଚାଳନା କରିଥିଲେ ।
ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତି ସମସ୍ତଙ୍କୁ ଧନ୍ଯବାଦ ଦେବାସହ ନିରପେକ୍ଷତା ଅବଲମ୍ବନ କରି ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନା କରିବାକୁ ପ୍ରତିଶୃତି ଦେଇଛନ୍ତି।

ସୁରମା ହୋଇଛନ୍ତି ଓଡ଼ିଶା ବିଧାନସଭାର ଦ୍ବିତୀୟ ମହିଳା ବାଚସ୍ପତି । ପୂର୍ବରୁ ନବୀନ ସରକାରରେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ । ଜଣେ ଅଭିଜ୍ଞ ରାଜନେତା ହେଉଛନ୍ତି ସୁରମା ପାଢୀ । ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ସେ ଯୋଗଦେଇଥିଲେ । ୨୦୦୦ ମସିହାରେ ସେ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଥିଲେ । ଏହାଛଡ଼ା ଦଳର ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ୨୦୦୪ରେ ପ୍ରଥମ କରି ରଣପୁର ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପି- ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ଓ ୨୦୧୪ରେ ରଣପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ରଣପୁରରୁ ଲଢି ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ସୁରମା ।