ସାଲେପୁରରେ ଜୋରସୋରରେ ଚାଲିଛି ରଜ ପ୍ରସ୍ତୁତି, ଆଜି ସଜେଇ ହୋଇଛନ୍ତି ଗାଁର କୁଆଁରୀ

ସାଲେପୁର: ରାତି ପାହିଲେ ରଜ୍ । ଆଜି ସଜବାଜ । ଜୋରସୋରରେ ଚାଲିଛି ରଜ ପ୍ରସ୍ତୁତି । ଗାଁଠୁ ସହର ସବୁଠି ଓଡ଼ିଶାର ଏହି ଗଣପର୍ବକୁ ନେଉ ଉତ୍ସାହ । କଟକ ଜିଲ୍ଲା ସାଲେପୁର ବଟେଶ୍ଵର ଗାଁରେ ଆରମ୍ଭ ହୋଇଯାଇଛି ରଜ ପ୍ରସ୍ତୁତି । ରଜ ପୂର୍ବରୁ ସମସ୍ତେ ସଜବାଜରେ ମସଗୁଲ ।

କଟକ ଜିଲ୍ଲା ସାଲେପୁର ବ୍ଲକ ଚିତ୍ରୋତ୍ପଳା ନଦୀ କୂଳରେ ମାଆ ଭଗବତୀଙ୍କ ପିଣ୍ଡିରେ ସଜବାଜ ପାଇଁ ଏକାଠି ହୋଇଛନ୍ତି କୁମାରୀ । କୁଙ୍କୁମ, ଅଳତା ଲଗାଇ ସଜବାଜ ହେଉଛନ୍ତି କୁଆଁରୀ । କିଏ ମେହେନ୍ଦି ଲଗାଉଛନ୍ତି ତ କିଏ ମଥାରେ ଚିତା ଲଗାଇ ସଜେଇ ହେଉଛନ୍ତି । ରଜ ପାଇଁ ସମସ୍ତେ ସଜବାଜରେ ମସଗୁଲ । କାଲି ପହିଲି ରଜରେ ଝିଅମାନେ ନୂଆ ଡ୍ରେସ ପିନ୍ଧିବା ସହିତ ପିଠାପଣା ଖାଇ ମଜା କରିବେ ବୋଲି କହିଛନ୍ତି ।

ଗାଁରେ ଦୋଳି ବନ୍ଧା ସରିଛି । ରଜ ଖଳା ବି ପ୍ରସ୍ତୁତ । ଗାଁରେ ପିଲାଠାରୁ ବୟସ୍କ ପର୍ଯ୍ଯନ୍ତ ଲାଗି ପଡିଛନ୍ତି ରଜ ପ୍ରସ୍ତୁତିରେ । ଗାଁ ପିଲାମାନେ ତାସପାଲି, କ୍ଯାରମ, ଲୁଡୁ ଖେଳୁଥିବାର ଦେଖିବାକୁ ମିଳୁଛି । ସେହିପରି ବୟସ୍କମାନେ ମଧ୍ଯ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ଯିଏ ଯେଉଁଠି ଥିଲେ ମଧ୍ଯ ରଜ ତିନିଦିନ ଖୁବ ସୁନ୍ଦର ଭାବେ ଉପଭୋଗ କରିବା ପାଇଁ ଗାଁକୁ ଫେରିଛନ୍ତି ।