ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ଘଟଣା, ସ୍ଥିତି ଅନୁଧ୍ୟାନ ପାଇଁ ଗଲା ୭ ଜଣିଆ ଟିମ୍

କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ଘଟଣା । ସ୍ଥିତି ଅନୁଧ୍ୟାନ ପାଇଁ ବାହାରିଲା ସାତ ଜଣିଆ ଟିମ । ଟିମରେ ଅତିରିକ୍ତ ସ୍ବାସ୍ଥ୍ଯ ନିର୍ଦ୍ଦେଶକ ଡ. ଆଦିତ୍ୟ ମହାପାତ୍ର, କୋରାପୁଟ ମେଡିକାଲ କଲେଜର ୫ ଜଣ ବରିଷ୍ଠ ଡାକ୍ତରଙ୍କ ସହ ରାୟଗଡାର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି । ସ୍ବତନ୍ତ୍ରି ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ଗାଁକୁ ଯାଇ ଅନୁଧ୍ଯାନ କରିଛନ୍ତି ।

ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୪ ଜଣ ଶିଶୁ ଓ ଜଣେ ବୃଦ୍ଧା ଏବେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ବିଶେଷ କରି ଏହି ରୋଗରେ ଶିଶୁ ଓ ବୃଦ୍ଧା ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଛି । ଡିପଥେରିଆ ରୋଗ ବ୍ଯାପିଥିବା ଆଶଙ୍କା କରାଯାଉଛି । ଏହି ଟିମ ରୋଗର କାରଣ ଖୋଜିବା ସହ ନିରାକରଣ ପାଇଁ ବ୍ଯବସ୍ଥା କରୁଛି ।

ଗତକାଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା ନେଇ ଅନୁଧ୍ୟାନ କରିଥିଲେ । ରୋଗ ପଡୋଶୀ ଗାଁକୁ ବ୍ୟାପିବା ଆଶଙ୍କା ଥିବାରୁ ନିରାକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି ।