spot_img

Latest Posts

ଡୋଡା ଆକ୍ରମଣ ଘଟଣା: ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ପୁରସ୍କାର ରାଶି

ନନ୍ଦିଘୋଷ ବ୍ୟୁରୋ: ଡୋଡା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଜମ୍ମୁ-କାଶ୍ମୀର ପୋଲିସ ୪ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ଏହି ଆତଙ୍କବାଦୀମାନେ ଡୋଡା ଜିଲ୍ଲାର ଭଦ୍ରଓ୍ୱାହ, ଥାଥରି, ଏବଂ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ଥିବା ଜଣାପଡିଛି। ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଁ ଜମ୍ମୁ କଶ୍ମୀର ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ଆତଙ୍କବାଦୀଙ୍କ ସୂଚନା ଦେବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ପୋଲିସ କହିଛି।

ପୁରସ୍କାର ରାଶି ୨୦ ଲକ୍ଷ ଟଙ୍କା

ଜମ୍ମୁ କଶ୍ମୀର ପୋଲିସ ଏହି ଆତଙ୍କବାଦୀଙ୍କ ସ୍କେଚ୍ ସୋଶାଲ ମିଡିଆ X ଆକାଉଣ୍ଟରେ ଜାରି କରିଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହାର ଅର୍ଥ, ଯଦି କେହି ଚାରି ଆତଙ୍କବାଦୀ ବିଷୟରେ ପୋଲିସକୁ ସୂଚନା ଦିଅନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ।

ସୂଚନା ଅନୁୟାୟୀ, ଗତ ୪ ଦିନ ଭିତରେ ଜମ୍ମୁର ସମ୍ଭାବର ଭିନ୍ନ ଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନ୍‌କାଉଣ୍ଟର ମାମଲା ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ କାଠୁଆର ହୀରାନଗରରେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ବୁଧବାର ସନ୍ଧ୍ୟାରେ ଜମ୍ମୁର ଡୋଡା ଜିଲ୍ଲାର କୋଟା ଟପ୍ ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ କନଷ୍ଟେବଳ ଫରିଦ ଅହମ୍ମଦ ଆହତ ହୋଇଥିଲେ।

କହିରଖୁ ଯେ, ରେସି ଆକ୍ରମଣ ପରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ଜୁନ୍ 9, ରବିବାର ଦିନ ଜାମ୍ମୁର ରେସିର ଶିବଖୋଡିରୁ ଫେରୁଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୪୧ ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ଆତଙ୍କବାଦୀ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। କାଠୁଆ ଏବଂ ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।

Latest Posts

Don't Miss