ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ, ୨ ଶିଶୁ ସମେତ ୫ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ । ଗାଜିଆବାଦର ଲୋନି ସୀମା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ତିନି ମହଲା ବିଶିଷ୍ଟ ଏକ କୋଠାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୨ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ପୂର୍ବରୁ ୭ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କୁହାଯାଉଛି ଯେ, ମହଲାରେ ଫୋମ ବିଜନେସ ଚାଲୁଥିଲା ।

ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ସିଏମ୍ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏ ବାବଦରେ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦିଆଯାଇଛି ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗାଜିଆବାଦର ହାଜିପୁର ଗାଁରେ ଇସ୍ତିୟାକ ଅଲି ନିଜ ପରିବାରକୁ ଧରି ତୃତୀୟ ମହଲାରେ ରହୁଥିଲେ । ପରିବାରରେ ତାଙ୍କ ପୁଅ ସାରିକ, ସାରିକଙ୍କ ସ୍ତ୍ରୀ, ସାତ ମାସର ଶିଶୁ ଏବଂ ଭଉଣୀ ଥିଲେ । ସାରିକଙ୍କ ଅନ୍ୟ ଭଉଣୀ ନିଜ ତିନୋଟି ଶିଶୁଙ୍କୁ ଧରି ତାଙ୍କ ଘରକୁ ଆସିଥିଲେ । ଏହି ଭୟାବହ ଅଗ୍ନିକାଣ୍ଡରେ ଏମାନେ ସବୁ ଫସିଯାଇଥିଲେ । କୁହାଯାଉଛି ଯେ ବୁଧବାର ରାତି ପ୍ରାୟ ୮ ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ଘରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା।