ସରିଲା ଦେବ ଦମ୍ପତିଙ୍କ ବାହାଘର, ବରଯାତ୍ରୀ ଶୋଭାଯାତ୍ରାରେ କମ୍ପିଲା ସମ୍ବଲପୁର ସହର

1 min read

ସମ୍ବଲପୁର: ବାଜା, ବାଣ, ରୋଷଣୀରେ ବାହାରିଲା ଭୋଳାବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା । ରାଜ୍ଯ ତଥା ରାଜ୍ଯ ବାହାରର କଳାକାରଙ୍କ ନୃତ୍ଯରେ କମ୍ପିଲା ସମ୍ବଲପୁର ସହର । ଦେବ ବିବାହରେ ସାମିଲ ହେଲେ ଦେବତା, ଗନ୍ଧର୍ବ, କିନ୍ନର, ମାନବ । ମଧ୍ଯରାତ୍ରୀରେ ଦେବୀ ପାର୍ବତୀଙ୍କ ସହ ମହାଦେବଙ୍କ ହେଲା ବିବାହ ।

ଶୀତଳଷଷ୍ଠୀ ଅସରରେ ଅନୁଷ୍ଠିତ ହୋଇଛି ଶିବ-ପାର୍ବତୀଙ୍କ ବିବାହ । ଏହି ଉତ୍ସବରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । କିନ୍ନର ଓ ବିଭିନ୍ନ କଳାକାରଙ୍କ ନାଚ ସାଙ୍ଗକୁ ବାଣ ଓ ପାରମ୍ପରିକ ବାଦ୍ଯରେ ମୁଖରିତ ହେଲା ପୂରା ପରିବେଶ । ସଂଧ୍ଯାରେ ସମସ୍ତ କର୍ମ ସାରି ବରଯାତ୍ରା ନେଇ କନ୍ଯାଘରକୁ ବାହାରିଥିଲେ ମହାଦେବ ।

ନନ୍ଦ ପଡାର ବମ୍ ବାରାଡ ବାବା ବାଲୁଙ୍କେଶ୍ବର, ଝାଡୁଆପଡାର ବାବା ଲୋକନାଥ ଓ ମୁଦି ପଡାର ବାବା ଜାଗେଶ୍ବରଙ୍କ ସହ ଅନ୍ୟ ସମସ୍ତ ଯାତ୍ରା କମିଟି ପକ୍ଷରୁ ବର ଶୋଭାଯାତ୍ରା ଧୁମଧାମରେ ପାଳନ କରାଯାଇଥିଲା । ମହାଦେବଙ୍କ ଦର୍ଶନ ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରି ରହିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ରାତିରେ କନ୍ଯାଘରେ ପହଞ୍ଚିଥିଲା ମହାଦେବଙ୍କ ବରଯାତ୍ରୀ । ଏହାପରେ ପାରମ୍ପରିକ ରୀତିରେ ପଡ଼ିଥିଲା ହାତଗଣ୍ଠି । ଆଜି ଦେବୀଙ୍କୁ ନେଇ ବାହାରିବେ ଭୋଳାବାବା । ନବଦମ୍ପତି ନଗର ପରିକ୍ରମା ପରେ ମନ୍ଦିର ପ୍ରବେଶ କରିବେ ।