ଶୃଙ୍ଖଳା କମିଟି ଅଧ୍ଯକ୍ଷଙ୍କ ବିନା ଅନୁମତିରେ ମୋତେ ଦଳରୁ ବାହାର କରାଯାଇପାରିବ ନାହିଁ: ମାନସ

ଭୁବନେଶ୍ବର: କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବହିଷ୍କୃତ ହେବା ପରେ କଂଗ୍ରେସ ଭବନରେ ପ୍ରେସମିଟ କରି ପିସିସି ସଭାପତି ଓ ପ୍ରଭାରୀଙ୍କ ଉପରେ ବର୍ଷିଛନ୍ତି ମାନସ ।

ମାନସ କହିଛନ୍ତି, ଏଆଇସିସି ଶୃଙ୍ଖଳା କମିଟି ଅଧ୍ଯକ୍ଷଙ୍କ ବିନା ଅନୁମତିରେ ମୋତେ ଦଳରୁ ବାହାର କରାଯାଇପାରିବ ନାହିଁ । କଂଗ୍ରେସ ଚଳିତ ନିର୍ବାଚନରେ ୪୦ ବିଧାନସଭା ଆସନ ଜିତିବା କଥା । ହେଲେ ମାତ୍ର ୧୪ ଆସନରେ ଜିତିଲା । ଏହି ବିପର୍ଯ୍ୟୟ ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ଦାୟୀ ।

ଆଗକୁ ସେ କହିଛନ୍ତି, ‘୧୪୭ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ପାଇଁ ଟଙ୍କା ଆସିଥିଲା । କିନ୍ତୁ ଜାଲ ଦସ୍ତଖତ କରି ସବୁ ଟଙ୍କା ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଖାଇଛନ୍ତି । ଏନେଇ ଗତ ଏକ ତାରିଖରେ ରାହୁଲ ଗାନ୍ଧୀ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ଯକ୍ଷ ଏବଂ କେ.ସି. ବେଣୁଗୋପାଲଙ୍କୁ ମେଲ୍ କରିଥିଲି ।’

ଶୃଙ୍ଖଳା କମିଟିର ବିନା କାରଣ ଦର୍ଶାଅ ନୋଟିସରେ କେମିତି ବହିଷ୍କାର କରାଗଲା ବୋଲି ମାନସ ପ୍ରଶ୍ନ କରିଛନ୍ତି । ଯଦି ଦଳ ବିରୋଧୀ କାମ କରିଥିବାର ପ୍ରମାଣ ଦେଇପାରିବେ ତେବେ ମୁଁ ରାଜନୀତି ଛାଡ଼ିଦେବା ବୋଲି ଚ୍ଯାଲେଞ୍ଜ କରିଛନ୍ତି ମାନସ ।

ସେପଟେ ମାନସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି, ମାନସଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପରିଚାଳନାରେ କୌଣସି ଅନିୟମିତତା ହୋଇନାହିଁ । ପ୍ରାର୍ଥୀଙ୍କୁ ଦଳୀୟ ପାଣ୍ଠି ପ୍ରଦାନରେ ଅନିୟମିତତା ଥିଲେ ପ୍ରମାଣ ଦେବାକୁ ସେ ଚ୍ଯାଲେଞ୍ଜ ଦେଇଛନ୍ତି ।