ଆଡଭାନି ଏବଂ ମନୋହର ଯୋଶୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ଏବଂ ମୁରଳୀ ମନୋହର ଯୋଶୀଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । ଉଭୟଙ୍କୁ ଭେଟିବା ସହ ସେମାନଙ୍କ ଆଶୀର୍ବାଦ ନେଇଛନ୍ତି ମୋଦି ।

ସାଧାରଣ ନିର୍ବାଚନ ଘୋଷଣା ଆଗରୁ ଆଡଭାନିଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ଆଡଭାନି ଏବଂ ଯୋଶୀ ହେଉଛନ୍ତି ବିଜେପିର ପ୍ରଥମ ପୀଢ଼ିର ନେତା । ଏମାନେ ହେଉଛନ୍ତି ବିଜେପିର ପ୍ରତିଷ୍ଠାତା ସଦସ୍ୟ । ବିଜେପିକୁ ସର୍ବଭାରତୀୟ ଦଳ କରିବାରେ, ଏହାର ଅଭିବୃଦ୍ଧିରେ ଓ ବର୍ତ୍ତମାନ ବିଜେପି ଯେଉଁ ସ୍ଥିତିରେ ପହଞ୍ଚିଛି, ସେଥିରେ ଆଡଭାନି ଏବଂ ଯୋଶୀଙ୍କ ଅତୁଳନୀୟ ଅବଦାନ ରହିଛି । ରାମ ମନ୍ଦିର ଆନ୍ଦୋଳନରେ ଉଭୟଙ୍କ ପ୍ରମୁଖ ଭୂମିକା ଥିଲା । ତେଣୁ ତୃତୀୟ ଥର ବିଜେପି ନେତୃତ୍ଵରେ କେନ୍ଦ୍ରରେ ସରକାର ଗଠନ ହେବାକୁ ଯାଉଥିବା ବେଳେ ଆଜି ଆଡଭାନି ଏବଂ ଯୋଶୀଙ୍କୁ ସେମାନଙ୍କ ବାସଭବନରେ ଭେଟିଛନ୍ତି ମୋଦି ।