ନବୀନଙ୍କ ଇସ୍ତଫା ପରେ କାନ୍ଦୁଛନ୍ତି ଜନତା

ରାଜନଗର: ସରିଛି ନିର୍ବାଚନ, ଆସି ସାରିଛି ଫଳାଫଳ । ୨୫ ବର୍ଷ ବିଜେଡି ଶାସନ ପରେ ଓଡ଼ିଶାରେ ନୂଆ ସରକାର ଗଠନ ହେବାକୁ ଯାଉଛି । ନିର୍ବାଚନ ଫଳାଫଳ ଆସିବା ପରେ ଗତକାଲି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ନବୀନ ଇସ୍ତଫା ଦେବା ପରେ ଗାଁ ଗହଳିରେ ବୃଦ୍ଧବୃଦ୍ଧା ତାଙ୍କୁ ଝୁରୁଛନ୍ତି । ବୟସରେ ଅପରାହ୍ନରେ ପହଞ୍ଚି ସାରିଥିବା ଏହି ବୃଦ୍ଧାବୃଦ୍ଧଙ୍କ ଆଖିରୁ ଝରୁଛି ଲୁହ ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁରେ ବୃଦ୍ଧାମାନେ ଏକାଠି ବସିଥିବା ବେଳେ ତାଙ୍କ ଆଖିରୁ ଲୁହ ଝରୁଥିବା ଦେଖିବାକୁ ମିଳିଥିଲା । ଗତକାଲି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏମାନେ ଭାଙ୍ଗି ପଡିଛନ୍ତି । ଆଉ ନିଜ ମନର ବ୍ୟଥା ପାଣି ହୋଇ ସେମାନଙ୍କ ଆଖିରୁ ବୋହି ଯାଉଛି ।

ବାର୍ଦ୍ଧକ୍ୟ ଭତ୍ତା, ହରିଶ୍ଚନ୍ଦ୍ର ଯୋଜନା, ମାଗଣା ରାସନ୍, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ସେବା, ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବିନା ସୁଧରେ ଋଣ ଆଦି ଯୋଜନା ଗାଁ ଗହଳିର ଲୋକଙ୍କ ମନ ଜିଣି ନେଇଥିଲା । ଯାହାଦ୍ବାରା ସାଧାରଣ ଲୋକେ ଉପକୃତ ହେଉଥିଲେ । କିନ୍ତୁ ଗତକାଲିଠାରୁ ତାଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ଗାଁ ଗହଳିର ସାଧାରଣ ଜନତା ।