କାଳବୈଶାଖୀ ଭାଙ୍ଗି ଦେଲା କାଜୁ ଚାଷୀଙ୍କ ମେରୁଦଣ୍ଡ

ଧର୍ମଗଡ଼: ଚାଷୀଙ୍କ ଉପରେ କାଳବୈଶାଖୀର ତାଣ୍ଡବ । ଉଜୁଡ଼ି ଗଲା ଫସଲ । ଏବେ ଅଭାବୀ ବିକ୍ରି ଚିନ୍ତାରେ ଚାଷୀ । ଏମିତି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ । କାଳବୈଶାଖୀ ପ୍ରଭାବରେ ଉଜୁଡି ଯାଇଛି କାଜୁ ଚାଷ । ଯାହା କିଛି ଅମଳ ହୋଇଥିଲା ତାହା ଅଭାବୀ ବିକ୍ରି ହେଉଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।

କାଳବୈଶାଖୀ ପରେ ଅଭାବୀ ବିକ୍ରି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ କାଳବୈଶାଖୀର କରାଳ ଗ୍ରାସରେ ଝଡି଼ ଯାଇଥିଲା କାଜୁ ବଉଳ । ପ୍ରଭାବିତ ହୋଇଥିଲା ହେକ୍ଟର ହେକ୍ଟର ଜମିର କାଜୁଚାଷ । ଧର୍ମଗଡ଼ ବ୍ଲକର ତାରାପୁର, ପର୍ଲା, କଦଳିମୁଣ୍ଡା, ଧଅଁରପୁର, ଜୟନ୍ତପୁର,କୋକସରା ବ୍ଲକର ଅନେକ ଲୋକ କାଜୁ ଚାଷ କରି ରୋଜଗାର କରିଥାନ୍ତି । ଚଳିତବର୍ଷ ପ୍ରାୟ ୩ ହଜାର ହେକ୍ଟର ଜମିରେ କାଜୁଚାଷ  ହୋଇଥିଲା । କିନ୍ତୁ କାଳବୈଶାଖୀରେ ନଷ୍ଟ ହୋଇଥିଲା କାଜୁ  ବଉଳ । ତଥାପି କିଛି କାଜୁ ଅମଳ ନେଇ ଚାଷୀ ଆଶା ରଖିଥିଲେ ଚାଷୀର । ଏବେ ଅମଳ ପରେ କାଜୁର ଅଭାବୀ ବିକ୍ରି ଯୋଗୁଁ ହତାଶ ହୋଇଯାଇଛନ୍ତି ଚାଷୀ ।

ଗତବର୍ଷ ଧର୍ମଗଡ଼ ଅଞ୍ଚଳରେ କିଲୋ ପ୍ରତି ୧୦୦ରୁ ୧୨୦ ଟଙ୍କାରେ କାଜୁ ବିକ୍ରି ହୋଇଥିଲା । ହେଲେ ଚଳିତ ବର୍ଷ ପଡ଼ୋଶୀ ଜିଲ୍ଲା ଓ ପଡୋଶୀର କିଛି ବ୍ଯବସାୟୀ ଆସି କାଜୁ କେଜି ପ୍ରତି ୭୦ରୁ ୮୦ ଟଙ୍କାରେ କିଣୁଛନ୍ତି ।

ଉଚିତ ଦରରେ କାଜୁ ବିକ୍ରି ପାଇଁ ଅଞ୍ଚଳରେ ଏକ ମଣ୍ଡି ସ୍ଥାପନ ସହ ବିକ୍ରି ବ୍ୟବସ୍ଥା କରାଗଲେ ଚାଷୀ ଭଲ ଦୁଇ ପଇସା ପାଇ ପାରିବେ ବୋଲି ଚାଷୀ କହିଛନ୍ତି ।