ଜାଣନ୍ତୁ ନବୀନଙ୍କୁ କାହିଁକି ଏତେ ଭଲ ପାଆନ୍ତି ଜନତା

1 min read

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକ। ଏକ ଦର୍ଶନ, ଏକ ସିଦ୍ଧାନ୍ତ । ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ପନ୍ଦନ। ନମ୍ର, ନିରବ, ପ୍ରବୀଣ, ଦୃଢପ୍ରତିଜ୍ଞ ଦୂରଦ୍ରଷ୍ଟା । ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ଜନନାୟକ ନବୀନ ପଟ୍ଟନାୟକ। ଓଡ଼ିଶା ବିକାଶର ମଙ୍ଗୁଆଳ। ଜନତାଙ୍କ ସେବକ, ନବୀନ ଓଡ଼ିଶାର ବିନ୍ଧାଣୀ । ରୂପାନ୍ତରିତ ଓଡ଼ିଶାର ରୂପକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫଳ ରାଜନେତା, ଜନପ୍ରିୟ ମୁଖ୍ୟମନ୍ତ୍ରୀ । ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ବିଜୁ ପଟ୍ଟନାୟକ ରାଜ୍ୟ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କ ସୁପୁତ୍ର ୨୪ ବର୍ଷର ଶାସନ ପରେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ବହୁମତ ନମିଳିବା ଯୋଗୁ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି।

ନିର୍ବାଚନରେ ବିଜୁ ଜନତା ଦଳକୁ ମାତ୍ର ୫୧ଟି ଆସନ ମିଳିଥିବା ବେଳେ, ବିଜେପିକୁ ୭୮ଟି ଆସନ ମିଳିଛି। ବିଜୁ ବାବୁଙ୍କ ଦାୟାଦ ଭାବେ ଯେ ନବୀନ ଦିନେ ଓଡିଶାକୁ ନିରବିଚ୍ଛିନ୍ନ ଭାବେ ସୁଶାସନ ଦେଇଆସିବେ ଏକଥା ବୋଧହୁଏ ବାପା ବିଜୁ ପଟ୍ଟନାୟକ ବି କଳ୍ପନା କରିନଥିଲେ । କିନ୍ତୁ ବିଜୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ । ଆଉ ବନିଗଲେ ଓଡ଼ିଶାବାସୀଙ୍କ ଅତି ଆପଣାର । ସମୟ ଏମିତି ଆସିଛି, ନବୀନଙ୍କୁ ବାଦ ଦେଇ ଓଡିଶା ଶାସନର କଥା ଚିନ୍ତା କରାଯାଇପାରିନାହିଁ। ତେବେ ପରିବର୍ତ୍ତିତ ପରିସ୍ଥିତିରେ ନବୀନଙ୍କୁ ଆଜି ସରକାରରୁ ହଟିବାକୁ ପଡିଛି।

୨୪ ବର୍ଷ ଲୋକଙ୍କ ଭଲ ପାଇବା ପ୍ରତିବଦଳରେ ନବୀନ ମଧ୍ୟ ନିଜର ସବୁ ସୁଖ ସ୍ବାଚ୍ଛନ୍ଦକୁ ଆଡେଇଦେଇ ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ରାଜନୀତିକୁ ଆସିବା ପୂର୍ବରୁ ନବୀନ ଥିଲେ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାରସ୍ବତ ସାଧକ । ୧୯୮୫ରୁ ୧୯୯୩ ମଧ୍ୟରେ ସେ ଚାରୋଟି ବହି ଲେଖିଛନ୍ତି । ୧୯୮୩ରେ ନବୀନଙ୍କ ପରିଚୟ ହୋଇଥିଲା ଆମେରିକାର ପୂର୍ବତନ ପ୍ରଥମ ମହିଳା ଜାକଲିନ କେନେଡିଙ୍କ ସହ । ଉଭୟ ମିଳିତ ଭାବେ ଦୁଇଟି ବହି ଲେଖିଥିଲେ । ନବୀନଙ୍କ ଲିଖିତ ଏ-ସେକେଣ୍ଡ ପାରାଡାଇଜ୍, ଏ-ଡେଜାର୍ଟ କିଙ୍ଗଡମ୍, ଦ ଗାର୍ଡେନ ଅଫ ଲାଇଫ ଭଳି ପୁସ୍ତକ ବିଶ୍ବ ଦରବାରରେ ବେଶ ଆଦୃତ ହେବା ସହ ବେଷ୍ଟ ସେଲରର ମାନ୍ୟତା ପାଇଛି ।

ନବୀନ ଜଣେ ଅତି ଭ୍ରମଣପ୍ରିୟ ବ୍ୟକ୍ତି । ରାଜନୀତିକୁ ଆସିବା ପୂର୍ବରୁ ନିଜ ବନ୍ଧୁମାନଙ୍କ ସହ ଦେଶ ବିଦେଶର ବହୁ ଅଞ୍ଚଳ ବୁଲିଛନ୍ତି । ୧୯୮୮ରେ ଦି ଡିସିଭର୍ସ ନାମକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ, ନବୀନ ଜଣେ ଭଲ ଚିତ୍ରକର ମଧ୍ୟ । ଏବେ ବି ଫୁରସତ ମିଳିଲେ ନବୀନ ଚିତ୍ର ଆଙ୍କନ୍ତି । ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ବଡ଼ ଦିଗ ହେଉଛି ସେ କମ କୁହନ୍ତି । ଶତ ଚେଷ୍ଟା କଲେ ମଧ୍ୟ ତାଙ୍କ ମୁହଁରୁ ଆପଣ ସେଇ କଥା ଶୁଣିବାକୁ ପାଇବେନି, ଯାହା ସେ କହିବାକୁ ଚାହାନ୍ତି ନାହିଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ବହୁ ବଡ଼ବଡ଼ ରଥୀ ମହାରଥୀ ତାଙ୍କୁ ବୁଲେଇ ବଙ୍କେଇ ବିଭିନ୍ନ ସମୟରେ ଅସୁବିଧାରେ ପକେଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ।

ନବୀନଙ୍କ ମାଇଣ୍ଡ ଓ୍ୱାସ୍ କରିବା ସମ୍ଭବ ନୁହେଁ, ଏକଥାକୁ ସେ ବାରମ୍ବାର ପ୍ରମାଣିତ କରିଛନ୍ତି  । ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିରେ ପାଦଥାପିଥିଲେ ନବୀନ । ସେତେବେଳେ ତାଙ୍କୁ ରାଜନୀତିର ଗ୍ରୀନହର୍ଣ୍ଣ ବୋଲି କୁହାଯାଉଥିଲା । କିନ୍ତୁ ରାଜନୀତିର ର-ଅକ୍ଷର ଜାଣିନଥିବା ଏହି ନେତା ଯେ ଏତେ ବିଚକ୍ଷଣ ଓ ଧୁରୀଣ ଜନନେତା ସାଜିବେ ଏକଥା ସେ ସମୟର କୌଣସି କଥାକଥିତ ବରିଷ୍ଠ ନେତା କି ରାଜନୈତିକ ବିଶ୍ଳେଷକ ଠଉରାଇ ପାରିନଥିଲେ । ନବୀନ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଆଜି ମଧ୍ୟ ଓଡ଼ିଶାରେ ତାଙ୍କ ସମକକ୍ଷ ନେତା ନାହାଁନ୍ତି କି ଓଡିଶାବାସୀ ବି ନବୀନଙ୍କୁ ଭୁଲି ନାହାନ୍ତି।

୧୯୯୭ ଡିସେମ୍ବର ୨୬ ତାରିଖରେ କିଛି ବିଜୁ ଅନୁଗତଙ୍କୁ ନେଇ ଗଠନ ହୋଇଥିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ୧୯୯୯ ମହାବାତ୍ୟା ମୁକାବିଲାରେ ତତ୍କାଳୀନ କଂଗ୍ରେସ ସରକାରର ଚରମ ବିଫଳତା ପରେ ଓଡିଶାବାସୀ ଭରସା କଲେ ନବୀନ ପଟ୍ଟନାୟକଙ୍କୁ । ନବୀନ ମଧ୍ୟ ଓଡିଶାବାସୀଙ୍କୁ ଭେଟିଦେଲେ ଦୁର୍ନୀତିମୁକ୍ତ, ସ୍ବଚ୍ଛ, ଲୋକାଭିମୁଖୀ ଶାସନ । ସିଏ ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ପ୍ରଶାସକ। ଦୁର୍ନୀତିର ଛିଟା ପଡିବା ମାତ୍ରେ କାର୍ଯ୍ୟାନୁଷ୍ଠାନ। ଗତ ୨୫ ବର୍ଷରେ ୪୦ରୁ ଅଧିକ ନେତା, ମନ୍ତ୍ରୀ ବଳି ପଡିଛନ୍ତି ନବୀନଙ୍କ ଶୂନ୍ୟ ସହନଶୀଳତା ନୀତି ଆଗରେ। ନବୀନଙ୍କ ଲୋକପ୍ରିୟତା ଓ ସାଧାରଣରେ ଗ୍ରହଣୀୟତା ଯୋଗୁଁ ପ୍ରତିଟି ନିର୍ବାଚନରେ ବିଜେଡିର ଭୋଟ ହାର ବଢିଥିଲା। ୨୦୦୦ ଓ ୨୦୦୪ରେ ମେଣ୍ଟ ସରକାରରେ ବିଜେଡି ୮୪ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ୨୭ରୁ ୨୯ ପ୍ରତିଶତ ଭୋଟ ପାଇଥିଲା ।

୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ପଣ୍ଡିତଙ୍କ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେଡିର ଭୋଟ ହାର ୩୮.୮୬ ପ୍ରତିଶତକୁ ବଢିଥିଲା ଏବଂ ଏକାକି ଦଳ ୧୦୩ ଆସନ ଦଖଲ କରିଥିଲା । ୨୦୧୪ରେ ବିଜେଡିର ଭୋଟ ହାର ୪୩.୪ ଏବଂ ୨୦୧୯ରେ ୪୪.୭୧ ପ୍ରତିଶତକୁ ବଢିଥିଲା । ତେବେ ଚଳିତ ନିର୍ବାଚନରେ ଭୋଟ ହାର ୪୦ ପ୍ରତିଶତକୁ ଖସି ଆସିବା ଫଳରେ ଦଳର ଆସନ ସଂଖ୍ୟା ୫୧କୁ ଖସି ଆସିଥିଲା। ତେବେ ଏହା ପୂର୍ବରୁ କେବଳ ସମସ୍ତ ସାଧାରଣ ନିର୍ବାଚନ ନୁହେଁ, ସବୁ ପୌର ଓ ପଂଚାୟତ ନିର୍ବାଚନରେ ବି ବିଜେଡି କରି ଆସୁଥିଲା ବାଜିମାତ । ଯାହାକି ନବୀନଙ୍କ ବିକାଶର କ୍ରେଜକୁ ପ୍ରମାଣିତ କରିଛି ।  ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ଓଡିଶା – ଯାହା ଦିନେ ସ୍ବପ୍ନ ଲାଗୁଥିଲା ନବୀନଙ୍କ ନେତୃତ୍ବରେ ତାହା ସମ୍ଭବ ହୋଇଛି । ଭୋକର ଭୁଗୋଳରୁ ଓଡିଶା ବିକାଶର ପ୍ରୟୋଗଶାଳରେ ପରିଣତ ହୋଇଥିଲା।

ରାଜ୍ୟବାସୀଙ୍କ ସ୍ବାର୍ଥ ସିଦ୍ଧି ହିଁ ନବୀନଙ୍କ ଏକମାତ୍ର ନୀତି । ରାଜନୀତିରେ ପାଦ ଦେବା ଦିନରୁ ହିଁ ଫ୍ରଣ୍ଟଫୁଟର ଏହି ଖେଳାଳି ପ୍ରମାଣିତ କରିଛନ୍ତି, ବିଶ୍ବ ଦରବାରରେ ଓଡିଆ ଅଛୁଆଁ ନୁହେଁ । ଆକ୍ଷେପ-ପ୍ରତିଆକ୍ଷେପର ଚିରାଚରିତ ରାଜନୀତିରୁ ବହୁ ଉର୍ଦ୍ଧ୍ବରେ ରହି ସକାରାତ୍ମକ ରାଜନୀତିର ନୂଆ ଧାରା ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ଧର୍ଯ୍ୟ ଓ ସ୍ଥିତପ୍ରଜ୍ଞତାର ପ୍ରତୀକ ନବୀନ । ତାଙ୍କ ଦୃଢ ନେତୃତ୍ବରେ ଓଡ଼ିଶା ଅଗ୍ରଣୀ । କଥା କମ କହୁଥିବା ସକରାତ୍ମକ ମଣିଷଙ୍କୁ ସାରା ଦେଶ ଭୂରିଭୂରି ପ୍ରଶଂସା କରୁଛି । ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରି ପଦକ୍ଷେପକୁ ବିଶ୍ବବ୍ୟାଙ୍କ, ନୀତି ଆୟୋଗ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ ସରକାର ସ୍ବୀକୃତି ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ମଧ୍ୟ ଓଡ଼ିଶାବାସୀ ତାଙ୍କ ପ୍ରଶଂସାରେ ଶତମୁଖ।