ସୁନ୍ଦରଗଡ଼ ଜିଲ୍ଲାରେ ସୁଧୁରୁଛି ଅଂଶୁଘାତ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ସୁଧୁରୁଛି ଅଂଶୁଘାତ ସ୍ଥିତି । ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ମାତ୍ର ଦୁଇଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଗତ ଦୁଇଦିନ ହେଲା କେହି ଆକ୍ରାନ୍ତ ହୋଇ ଚିକିତ୍ସା ହେଵା ପାଇଁ ଆସି ନାହାନ୍ତି । ଜିଲ୍ଲା ପ୍ରଶାସନ ଓ ଶ୍ରମ ଵିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ଶିବିର ଅନୁଷ୍ଠିତ ହେଵା ସହ ଘୋଳଦହି ଵଣ୍ଟନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପକ୍ଷା କରାଯାଇଥିବାବେଳେ ସେପଟେ ଘଟଣାର ତଦନ୍ତ ଜାରି ରଖିଛନ୍ତି ୬ ଜଣିଆ ଟିମ୍ ।

ବଦଳୁଛି ସ୍ଥିତି, ବଦଳୁଛି ପାଣିପାଗର ମିଜାଜ୍ । ସୁନ୍ଦରଗଡ଼ ଜିଲ୍ଲାରେ ଅଂଶୁଘାତ ସ୍ଥିତିରେ ଆସୁଛି ସୁଧାର । ଦୁଇଦିନ ହେଲା ଆସିନାହାନ୍ତି କୌଣସି ଆକ୍ରାନ୍ତ । ରାଉରକେଲା ଡାକ୍ତରଖାନାରେ ଅଛନ୍ତି ମାତ୍ର ଦୁଇଜଣ । ସ୍ଥିତି ବଦଳିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ଶ୍ରମ ଵିଭାଗ ପକ୍ଷରୁ ସଚେତନତା ଜାରି ରହିଛି । ସହରର ଛେଣ୍ଡ କଲୋନୀ ଓ ନାଲା ରୋଡରେ ଶିବିର ଆୟୋଜନ କରାଯାଇ ଶ୍ରମିକମାନଙ୍କୁ ଘୋଳଦହି ଓ ଲିଫଲେଟ ଵଣ୍ଟନ କରାଯାଇଛି । ଗତ ୩୦ ତାରିଖ ଠାରୁ ୪ ଦିନ ମଧ୍ୟରେ ମୃତ୍ଯୁ ସଂଖ୍ଯା ବଢିବା ପରେ ବଢିଥିଲା ସନ୍ଦେହ । ୩୫ ମୃତକଙ୍କ ମଧ୍ୟରୁ ୨୪ ଟିର ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ୪ ଟି ମୃତଦେହ ପରିବାର ଲୋକେ ବ୍ୟବଚ୍ଛେଦ ନକରି ନେଇ ଯାଇଛନ୍ତି । ୧୫ ଟି ମୃତଦେହର ନିର୍ଦ୍ଧିଷ୍ଟ କାରଣ ନ ମିଳିବାରୁ ଭିସେରା ରିପୋର୍ଟ ପାଇଁ ପଠାଯାଇଛି । ୩ ଟି ମୃତଦେହ ଅଂଶୁଘାତରେ ନୁହେଁ ବୋଲି ଜଣାପଡ଼ିଛି । ଅନ୍ଯ ୭ଟି ମୃତଦେହର ରିପୋର୍ଟ ଆସିଲେ ମୃତ୍ଯୁର କାରଣ ସ୍ପଷ୍ଟ ହେବ ।

ମୃତ୍ୟୁର କାରଣ ଓ ପ୍ରତିକାର ନେଇ ଅନୁଧ୍ଯାନ କରୁଛନ୍ତି ୬ ଜଣିଆ ଟିମ । ଵୁର୍ଲା ମେଡିସିନ ଵିଭାଗର ପ୍ରଫେସର ଡକ୍ଟର ବି ପ୍ରଧାନ, ସ୍ବାସ୍ଥ୍ୟ ଵିଭାଗର ଷ୍ଟେଟ ସରଭିଲାନସ ଅଫିସର ଡକ୍ଟର ଅଶୋକ ପାଇକରାୟ ଓ ସ୍ଵାସ୍ଥ୍ୟ ଵିଭାଗ ଯୁଗ୍ମ ନିର୍ଦ୍ଦେଶକ  ଡକ୍ଟର ଅର୍ଘ୍ୟ ପ୍ରଧାନ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଚିକିତ୍ସିତ ହେଉଥିବା ୧୦ ଜଣଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ନିଜ ନିଜର ଘରକୁ ଫେରିଥିବା କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ।

ଅଂଶୁଘାତରୂ ରକ୍ଷା କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖରାରେ ଶ୍ରମିକମାନେ କାର୍ଯ୍ୟ ନକରିଵା ପାଇଁ ସମସ୍ତ ଠିକା ସଂସ୍ଥା ଓ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।