ଟଙ୍କା ପାଇଁ ଶିକ୍ଷୟିତ୍ରୀ ବୋହୂକୁ ପିଟିପିଟି ମାରିଦେଲେ ଶାଶୂଘର ଲୋକ

ନୟାଗଡ: ଟଙ୍କା ପାଇଁ ଶିକ୍ଷୟିତ୍ରୀ ବୋହୂକୁ ପିଟିପିଟି ମାରିଦେଲେ ଶାଶୂଘର ଲୋକ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତ୍ତିପୁର ଗାଁରୁ ଏହି ଅଭିଯୋଗ ଆସିଛି। ଘଟଣାକୁ ନେଇ ଅଞ୍ଚଳରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ  । ମୃତକ ହେଲେ ପଦ୍ମିନୀ ପ୍ରଧାନ  ।

ସେ ଶିକ୍ଷୟିତ୍ରୀ ଭାବେ ଓଡ଼ଗାଁ ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ  । ଟଙ୍କା କାରବାରକୁ ନେଇ ପତ୍ନୀଙ୍କୁ ସ୍ୱାମୀ, ଦିଅର ଏବଂ ଶାଶୂଘର ଲୋକ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଦୀର୍ଘଦିନ ଧରି ପାରିବାରିକ କଳହ ଲାଗି ରହିଥିଲା  । ହେଲେ ବିଳମ୍ବିତ ରାତିରେ ସ୍ୱାମୀ ତପନ ସ୍ୱାଇଁଙ୍କ ସମେତ ଶାଶୂଘର ଲୋକ ତାଙ୍କୁ ପିଟିପିଟି ହତ୍ୟା କରି ଘରେ ପକାଇ ଦେଇଥିବା ପଦ୍ମିନୀଙ୍କ ବାପଘର ଲୋକ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି  ।

ସ୍ୱାମୀକୁ ଅଟକ ରଖି ପୋଲିସ ତଦନ୍ତ କରୁଛି  । ଶାଶୂଘରର ଅନ୍ୟମାନେ ଫେରାର ହୋଇଯାଇଛନ୍ତି  । ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ କରାଯିବ ବୋଲି ପୋଲିସ କହିଛି  ।