ସୁନ୍ଦରଗଡ଼ ଅସ୍ବାଭାବିକ ମୃତ୍ଯୁ ସଂଖ୍ଯା ୧୯କୁ ବୃଦ୍ଧି, ୪ ଜଣଙ୍କ ଅଂଶୁଘାତରେ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୧୯କୁ ବଢିଲା ଅସ୍ବାଭାବିକ ମୃତ୍ଯୁ ସଂଖ୍ଯା । ଏମାନଙ୍କ ମଧ୍ଯରୁ ୪ଜଣଙ୍କର ଅଂଶୁଘାତରେ ମୃତ୍ଯୁ ହୋଇଥିବା ନେଇ ପ୍ରଶାସନ ସୂଚନା ଦେଇଥିବାବେଳେ ଅନ୍ଯ ୧୨ ଜଣଙ୍କର ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି । ଅଂଶୁଘାତରେ ସମସ୍ତଙ୍କର ମୃତ୍ଯୁ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ସୁନ୍ଦରଗଡ଼ ମେଡିକାଲରେ ୪ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ ଜଣଙ୍କ ମୃତ୍ଯୁ ହୋଇଥିଲା ।

ଆଜି ରାଉରକେଲାରେ ଆଉ ଦୁଇଜଣଙ୍କର ମୃତ୍ଯୁ ହୋଇଛି । ରାଉରକେଲାରେ ମୋଟ ୧୨ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୪ ଜଣଙ୍କର ଜୀବନ ଅଂଶୁଘାତରେ ଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି । ତେବେ ସୁନ୍ଦରଗଡ଼ର ୪ ଓ ରାଉରକେଲାର ଅବଶିଷ୍ଟ ୮ଜଣଙ୍କର ମୃତ୍ଯୁ କାରଣ ଏବେବି ଅସ୍ପଷ୍ଟ ରହିଛି ।

ପ୍ରଶାସନର ସୂଚନା ଅନୁସାରେ ଗତକାଲି ରାଉରକେଲା ଡାକ୍ତରଖାନା ଆସିବାବେଳକୁ ୮ ଜଣଙ୍କର ମୃତ୍ଯୁ ହୋଇସାରିଥିଲା । ଅନ୍ଯପଟେ ମୁଣ୍ଡ ବୁଲାଇବା ଓ ଅସ୍ବାଭାବିକ ଅନୁଭବ କରି ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୪ ଜଣଙ୍କର ମୃତ୍ଯୁ କାରଣ ବି ଅସ୍ପଷ୍ଟ ରହିଛି । ଶବବ୍ଯବଚ୍ଛେଦ ପରେ ସମସ୍ତଙ୍କ ମୃତ୍ଯୁ କାରଣ ସ୍ପଷ୍ଟ ହେବ । ଅଂଶୁଘାତରେ ଆକ୍ରାନ୍ତ ୨୩ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ଗୁରୁତର ଥିବା ୧୦ ଜଣଙ୍କୁ ହାଇଟେକ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି।