ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବଡ଼ ମାର୍ଜିନରେ ଜିତାଇବାକୁ ପାଣ୍ଡିଆନଙ୍କ ଅପିଲ

1 min read

ଭୋଗରାଇ: ଭୋଗରାଇରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ମନ୍ଦିର, ମସଜିଦଠୁ ଆରମ୍ଭ କରି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ଯାହା ସବୁ କାର୍ଯ୍ୟ ବାକି ରହିଛି ତାହା ଖୁବଶୀଘ୍ର ପୂରଣ କରାଯିବ। ବିକାଶର ହିସାବ ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ବଡ଼ ସଂଖ୍ୟାରେ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍।

ଭୋଗରାଇ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟରେ ବିଜେଡି ବହୁମତ ପାଇ ସାରିଛି ବୋଲି କହିଛନ୍ତି ପାଣ୍ଡିଆନ୍। ବିଜେପି ନିଜ ଇସ୍ତାହାରରେ ଯୁବକଙ୍କ ପାଇଁ କିଛି ସ୍ଥାନ ଦେଇନାହିଁ। ବିଜେପି କେବଳ ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣାରେ ବିଶ୍ବାସ କରନ୍ତି । ସେମାନଙ୍କୁ ସତର୍କ ରହିବାକୁ ଭୋଗରାଇବାସୀଙ୍କୁ ସଚେତନ କରିଛନ୍ତି 5Tଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । କିଛି ମାସ ତଳେ ଭୋଗରାଇ ଗସ୍ତ ସମୟରେ ମିଳିଥିବା ଆବେଦନ ଆଧାରରେ ଭୋଗରାଇରେ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଭୋଗରାଇ ସଂସ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୋଷ୍ଟାଲ କେନାଲ ପାଇଁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପାନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଳି ଭୁସୁଣ୍ଡେଶ୍ବର ମନ୍ଦିର ପୂରା ରୂପାନ୍ତରିତ ହେବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ସେହିଭଳି ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସ ବିଜେପିର ଅପପ୍ରଚାର ଉପରେ ବର୍ଷିଛନ୍ତି । ବିଜେପିର ଡବଲ ଇଂଜିନ ନାରାକୁ କଟାକ୍ଷ କରି ଲେଖାଶ୍ରୀ କହିଛନ୍ତି ଯେ, ଯାହାର ମୂଳ ଇଂଜିନ ଖରାପ ହୋଇଯାଏ ସେ ଡବଲ ଇଂଜିନ କଥା କୁହନ୍ତି । ଓଡିଶାରେ ମୂଳ ଇଂଜିନ ଗତ ୨୫ ବର୍ଷ ହେଲା ଚାଲିଛି ଓ ଆହୁରି ୨୫ ବର୍ଷ ଚାଲିବ । ଏହା ନବୀନ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।