ଆସନ୍ତାକାଲି ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ, ସୁରକ୍ଷା ଦାୟିତ୍ବରେ ୧୨୧ କମ୍ପାନୀ CAPF ମୁତୟନ
1 min readଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଏହି ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ବି ନିର୍ବାଚନ ଅନୁଷ୍ଠିତ ହେବ।
ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ଲକ୍ଷ ୩୦ହଜାର ଥିବାବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ମତଦାନ ସାବ୍ଯସ୍ତ କରିବେ । ଏହି ପର୍ଯ୍ୟାୟରେ ୨୧ ପ୍ରତିଶତ ଯୁବ ଭୋଟର ଥିବାବେଳେ ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରୁ ମତଦାନ କରିଛନ୍ତି । ୬୪ ଜଣ ସାଂସଦ ପ୍ରାର୍ଥୀ ରହିଥିବାବେଳେ ୩୮୩ ବିଧାୟକ ପ୍ରାର୍ଥୀ ମୈଦାନରେ ପରସ୍ପରକୁ ଟକ୍କର ଦେଉଛନ୍ତି ।
ଏହି ପର୍ଯ୍ୟାୟରେ ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧ । ୨ ହଜାର ମଡେଲ ବୁଥ ରହିଛି । ସୁରକ୍ଷା ପାଇଁ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି । ଅନ୍ଧାରୀ ବିଜେ ରୋକିବାକୁ ସାଇଲେଣ୍ଟ ଆୱାର ଆରମ୍ଭ ହେବା କ୍ଷଣି ସବୁ ହୋଟେଲ, ଗେଷ୍ଟ ହାଉସ ଯାଞ୍ଚ ହେବ। ଯେଭଳି କେହି ବାହାର ଲୋକ ରହିବନି । ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ କେନ୍ଦୁଝର ହିଂସା ସମ୍ପର୍କରେ ପ୍ରତିକ୍ରିୟା ରଖି ସିଇଓ କହିଛନ୍ତି, ସେଠାରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
୬ ସଂସଦୀୟ କ୍ଷେତ୍ର ଓ ତତସଂଲଗ୍ନ ବିଧାନସଭା କ୍ଷେତ୍ରରୁ ମୋଟ ୨୬୩.୫୫ କୋଟି ଟଙ୍କାର ସିଜ ହୋଇଛି । ସେହିପରି କେବଳ ୬ଟି ସଂସଦୀୟ କ୍ଷେତ୍ରରୁ ମୋଟ ୧୨ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ୧୨ କୋଟି ୮୩ ଲକ୍ଷ ଟଙ୍କାର ମଦ ଜବତ ହୋଇଥିବାବେଳେ ରାଜ୍ଯରେ ମୋଟ ୮୭ କୋଟି ଜବତ ହୋଇଛି । ଭୁବନେଶ୍ୱରରୁ ୯.୬୬କୋଟି ଟଙ୍କା ଜବତ ହୋଇଥିବାବେଳେ ପୁରୀରୁ ୨.୮୨ ଲକ୍ଷ ଟଙ୍କା ଜବତ ହୋଇଛି ।