ନବୀନ ଗ୍ୟାରେଣ୍ଟିର ୨୦ ନମ୍ବରରେ ଭାଷାକୁ ଗୁରୁତ୍ବ : ବିଜେଡି

ଭୁବନେଶ୍ୱର : ନବୀନ ଗ୍ୟାରେଣ୍ଟିର ୨୦ ନମ୍ବରରେ ରହିଛି ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷାର ବିକାଶ, ପ୍ରଚାର ଓ ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଗ୍ୟାରେଣ୍ଟି ଦେଇଛନ୍ତି । ନିର୍ବାଚନୀ ଇସ୍ତାହାରରେ ଭାଷାର ବିକାଶ ନେଇ ବିଜେଡିର ବିସ୍ତୃତ ସୂଚନା ଦିଆଯାଇଛି । ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। କିନ୍ତୁ ଭାଷାର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ମିଳିନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ବର୍ଷ ପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି ।

୨୦୨୦ରେ ବନ୍ଦେ ଉତ୍କଳ ଜନନୀକୁ ମିଳିଥିଲା ରାଜ୍ୟ ସଂଗୀତ ମାନ୍ୟତା । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ବାରମ୍ବାର ଦାବି କରାଯାଉଛି। ଏହି ଦାବି ପୂରଣ ପର୍ଯ୍ଯନ୍ତ ବିଜେଡିର ସଂଘର୍ଷ ଜାରି ରହିବ। ଭାରତର ପ୍ରଥମ ରାଜ୍ୟ ଓଡ଼ିଶା, ଯିଏ ଐତିହ୍ୟ କ୍ୟାବିନେଟ କରିଛି। ଓଡ଼ିଆ ଭାଷା ଓ ସାହିତ୍ୟକୁ ସ୍ୱତନ୍ତ୍ର ବିଭାଗ କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପ୍ରତି ପାଞ୍ଚବର୍ଷରେ ବିଶ୍ୱ ଭାଷା ସମ୍ମିଳନୀ କରାଯିବ। ପ୍ରତି ବର୍ଷ ଏହା ରାଜ୍ୟ ସ୍ତରରେ କରାଯିବ ବୋଲି ବିଜେଡି ସୂଚନା ଦେଇଛି।

ବିଶେଷଜ୍ଞଙ୍କ ମତକୁ ସରକାର କାର୍ଯ୍ୟକାରୀ କରିବେ। ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୩୪ ସୁଦ୍ଧା ଭାରତର ଏକ ନମ୍ବର ଭାଷା ବିଶ୍ୱବିଦ୍ୟାଳୟ କରାଯିବ। ପ୍ରତି ପଞ୍ଚାୟତରେ ହେବ ଭାଗବତ ଟୁଙ୍ଗି । ଏଥିପାଇଁ ଅନୁଦାନ ଦୁଇ ଗୁଣ ଦିଆଯିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର କରାଯିବ। ଏଥିପାଇଁ ୨୫ କୋଟି ଟଙ୍କା କରପସ ଫଣ୍ଡ ଦିଆଯିବ। ବିଜୁ ପଟ୍ଟନାୟକ ଚେୟାର ପ୍ରତିଷ୍ଠା ପାଇଁ ଜେଏନୟୁ ସହ ଚୁକ୍ତି ହୋଇଛି । ଓଡ଼ିଆ ଜାତିକୁ ପରିଚୟ ଦେବା ପାଇଁ ଭାଷା ସଂରକ୍ଷଣ କରାଯିବ। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାର ଏହା ଗ୍ୟାରେଣ୍ଟି ବୋଲି ବିଜେଡି କହିଛି ।

କେନ୍ଦ୍ର ସରକାରଙ୍କର ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ। ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦିଆଯାଇ ନାହିଁ। ମହାପୁରୁଷଙ୍କୁ ଯଥେଷ୍ଟ ସମ୍ମାନ ଦେବା ସହ ବିଭନ୍ନ ପୀଠର ବିକାଶ କାମ ଚାଲିଛି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ଯତା ପାଇଁ ଉଦ୍ଯମ ଜାରି ରହିବ ବୋଲି ବିଜେଡି କହିଛି। କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ଦିଆଯିବ। ପଦ୍ମ ପୁରସ୍କାର ବିଜେତାଙ୍କ ପେନସନ ଜାରି ରହିବ ବୋଲି ବିଜେଡି କହିଛି। ଓଡ଼ିଆ ଭାଷାର ବିକାଶ ପାଇଁ ବିଜେଡି ପ୍ରତିଶୃତିବଦ୍ଧ ବୋଲି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରାଯାଇଛି।