ନିଆଳିରେ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି ପ୍ରାର୍ଥୀ
ନିଆଳି: ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ଜଗତସିଂହପୁର ଜିଲ୍ଲାର ନିଆଳି ନିର୍ବାଚନ ମଣ୍ଡଳୀ । ଜୁନ ପହିଲାରେ ଏଠାରେ ମତଦାନ । ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ଯମ ଚଳାଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ସଭିଏଁ ଯୁଦ୍ଧଂଦେହୀ ମୋଡରେ । ନାମାଙ୍କନ ଦାଖଲ ପରେ ଏବେ ନେତାଙ୍କ ଅପେକ୍ଷା ଛାମୁଆ କର୍ମୀ ବେଶ ସଜାଗ । ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ସମସ୍ତେ ନିଜ ସପକ୍ଷରେ ଭୋଟ ପାଇଁ ଲାଗି ପଡିଛନ୍ତି ।
ଚଳିତ ଥର ବିଜେଡି ଡକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ପ୍ରମୋଦ ଏବେ ଗାଁକୁ ଗାଁ ବୁଲି କର୍ମୀ ସମ୍ମିଳନୀ କରିବାରେ ଲାଗି ପଡିଛନ୍ତି । ସବୁ ସ୍ଥାନରେ ସାଙ୍ଗରେ ରହୁଛନ୍ତି ସାଂସଦ ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲ୍ଲିକ । ବିଭିନ୍ନ ସ୍ଥାନରେ ହୋଇଥିବା ମିଶ୍ରଣ ପର୍ବରେ ଅଞ୍ଚଳର ବହୁ ତୁଙ୍ଗ ଛାମୁଆ କର୍ମୀମାନେ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ରାଜନୈତିକ ଅଭିଜ୍ଞତା ସମ୍ପନ୍ନ ଏହି ବରିଷ୍ଠ କର୍ମୀମାନେ କିପରି ବିଜେଡି ପୁଣି ନିଆଳିରେ ବହୁ ଭୋଟ ବ୍ୟବଧାନରେ ବାଜିମାତ୍ କରିବ ସେଥିପାଇଁ ଲାଗି ପଡିଛନ୍ତି ।
ନିଆଳିରେ ରାଜ୍ଯ ସରକାରଙ୍କ ଦ୍ଵାରା ଅନେକ ବିକାଶ କାର୍ଯ୍ଯ ହୋଇଛି । ବିଭିନ୍ନ ଜନହିତକର ଯୋଜନା ଲୋକଙ୍କୁ ସ୍ୱତଃସ୍ପୃତ ଭାବେ ଆକୃଷ୍ଠ କରୁଛି । ବିଶେଷ କରି ବିଏସକେୱାଇ କାର୍ଡ ଓ ଛାତ୍ରବୃତ୍ତି ଯୋଜନା ଲୋକଙ୍କୁ ବହୁତ ଆକୃଷ୍ଟ କରୁଛି । ତେବେ ଚଳିତ ନିର୍ବାଚନରେ ବିଜେଡି ଏହି ନିର୍ବାଚନ ମଣ୍ଡଳୀରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ଭୋଟର କହିଛନ୍ତି ।
ନିଆଳି ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ହେବା ସମୟରୁ ବିଜେଡି ତା’ର ବିଜୟ ଧାରା ବଜାୟ ରଖିଛି । ଚଳିତ ଥର ବିଜେଡି ପୁଣି ବାଜି ମାରିବ ବୋଲି ସାଧାରଣ ଲୋକ କହୁଛନ୍ତି ।