ଗଞ୍ଜାମ ପୋଲସରାରେ ଫୁଟିଲା ଗୁଳି, ଜଣେ ଆହତ

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରାରେ ଫୁଟିଲା ଗୁଳି ଭାଙ୍ଗିଲା ବାଇକ୍ ।  ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ତୋଟାସାହିରେ ଗୁଳିକାଣ୍ଡ ଘଟଣାରେ ଜଣେ ଆହତ । ଆହତ ଜଣକ ହେଲେ ବିଜେଡି ସମର୍ଥକ ଗଣେଶ ଖଟେଇ । ଗୁଳିକାଣ୍ଡର କାରଣ  ଜଣାପଡ଼ିନାହିଁ। ଆଜି ସକାଳେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳିରେ ଗତକାଲିଠାରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କୃଷ୍ଣଶରଣପୁରଠାରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ଏବଂ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପିର ଜଣେ କର୍ମୀଙ୍କର ମୃତ୍ଯୁ ହୋଇଛି । ମୃତକ ହେଲେ ଦିଲ୍ଲୀପ ପାହାନ । ବିଜେଡିର ୮ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ଗତକାଲି ମଧ୍ଯରାତ୍ରିରେ ଖଲ୍ଲିକୋଟ ବିଜେଡି ବିଧାୟକ ତଥା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ଯଙ୍କ ଭାସଭବନ ସାମ୍ନାରେ ବିଜେପି କର୍ମୀମାନେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଘର ସାମ୍ନାରେ ଥିବା ଗାଡ଼ିଗୁଡ଼ିକୁ ଠେଙ୍ଗା ଓ ଲୁହା ରଡରେ ବାଡ଼େଇ ଚୂରମାର କରିଛନ୍ତି । ଆଜି ସକାଳୁ କିଛି ବିଜେପି କର୍ମୀ ଖଲ୍ଲିକୋଟ ଥାନା ଆଗରେ ରୁଣ୍ଡ ହୋଇଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ ବଢ଼ାଯାଇଛି ।