ଅଭିଷେକ ମନୁ ସିଂହଭିଙ୍କୁ ପୁରସ୍କାର ଦେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମନି ଲଣ୍ଡ୍ରିଂ ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ  । ଲୋକସଭା ନିର୍ବାଚନ ୨୦୨୪ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସର୍ବୋଚ୍ଚ ଅଦାଲତ ଆଶ୍ବସ୍ତି ଦେଇଛନ୍ତି  । ଜେଲରୁ ବାହାରିବା ଅବଧି ସମୟରେ କେଜ୍ରିୱାଲ କୋର୍ଟର ସମସ୍ତ ସର୍ତ୍ତ ପାଳନ କରିବେ  । ଅନ୍ତରୀଣ ଜାମିନରେ କେଜ୍ରିୱାଲ ଆସିବା ପରେ ଦିଲ୍ଲୀ ଆପ୍‌ରେ ମନମାଳିନ୍ୟ ଦେଖିବାକୁ ମିଳିଛି  । ଆପ୍‌ ଦଳର ବରିଷ୍ଠ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଂହଭି ଟ୍ରାଏଲ କୋର୍ଟରୁ ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସିଏମ କେଜ୍ରିୱାଲଙ୍କ ପାଇଁ କେସ୍‌ ଲଢୁଛନ୍ତି  । ଅଭିଷେକ ସିଂହଭିଙ୍କ ଜୋରଦାର ଉଦ୍ୟମ ବଳରେ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିଛି । ଏଥିପାଇଁ ସିଂହଭିଙ୍କୁ ବଡ ପୁରସ୍କାର ଦେବାକୁ ଯାଉଛନ୍ତି କେଜ୍ରିୱାଲ  ।

ଆପ୍‌ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଇସ୍ତଫା ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି କେଜ୍ରିୱାଲ  । ଯାହା ପରେ ଆପ୍‌ର ଆଇନଜୀବୀ ଅଭିଷେକ ମନୁଙ୍କୁ ଦିଲ୍ଲୀରୁ ରାଜ୍ୟସଭା ପଠାଯାଇ ପାରିବ  । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ମୁଖ୍ୟ ସ୍ବାତୀ ମାଲିୱାଲ ଗତ ଜାନୁଆରୀରେ ଆପ୍‌ ପକ୍ଷରୁ ରାଜ୍ୟସଭା ସାଂସଦ ରୂପେ ଶପଥ ନେଇଥିଲେ  । ଜାମିନରେ ଆସିଥିବା କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ସ୍ବାତୀ  ।

ମିଡିଆ ରିପୋର୍ଟ ଅନୁସାରେ ସ୍ବାତୀଙ୍କୁ ପଞ୍ଜାବରୁ ରାଜ୍ୟସଭାକୁ ପଠାଯାଇପାରେ  । କାରଣ ପଞ୍ଜାବର ରାଜ୍ୟସଭା ସାଂସଦ ପୂର୍ବତନ କ୍ରିକେଟର ହରଭଜନ ସିଂ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇପାରନ୍ତି  । ଏଭଳି ସ୍ଥିତିରେ ପଞ୍ଜାବରୁ ସ୍ବାତୀଙ୍କୁ ରାଜ୍ୟସଭା ପଠାଯାଇପାରେ  । କିନ୍ତୁ ଏହାକୁ ଭୁଲ ଭାବେ ନେଇଛନ୍ତି ସ୍ବାତୀ  । ଫଳରେ ଆପ୍‌ରେ ଅସନ୍ତୁଷ୍ଟ ନିଆଁ କୁହୁଳିବାରେ ଲାଗିଛି  ।