ଓଡିଶା ଆନ୍ଧ୍ର ସୀମା କୋଟିଆରେ ସୁରୁଖୁରୁରେ ଚାଲିଛି ମତଦାନ

କୋଟିଆ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ସୁରୁଖୁରେ ଚାଲିଛି ମତଦାନ। ଲାଇନରେ ଠିଆ ହୋଇ ଭୋଟ୍ ଦେଇଛନ୍ତି କୋଟିଆବାସୀ। କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବା ବେଳେ କୋଟିଆରେ ଭୋଟର ମତଦାନ ସାବ୍ଯସ୍ତ କରିଛନ୍ତି। ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆରେ ମୋଟ ୫ ହଜାର ୫୦୨ ଜଣ ଭୋଟର ଅଛନ୍ତି ।

ସେଥିରୁ ପୁରୁଷ ଭୋଟର ସଂଖ୍ୟା ୨ ହଜାର ୫୮୯ ଏବଂ ମହିଳା ଭୋଟର ସଂଖ୍ୟା ୨ ହଜାର ୯୧୩। ପ୍ରଶାସନ ପକ୍ଷରୁ କୋଟିଆରେ ମୋଟ ୯ଟି ବୁଥ୍ ହୋଇଛି। ବୁଥ୍ ଗୁଡ଼ିକ କୋଟିଆ, ତଳକାଣ୍ଟି, ଫଗୁଣସିନେରି, ମାଡକାର୍, ଗଞ୍ଜେଇପଦର୍, ଗୁମେଲପଦର୍, ଥୁରିଆ, ଟାଉପଦର, ରଣାସିଂଠାରେ ରହିଛି। କୋଟିଆ ବୁଥକୁ ଆଦର୍ଶ ବୁଥ କରାଯାଇଛି। ପ୍ରତ୍ୟେକ ବୁଥରେ କୋଟିଆବାସୀ ପହଞ୍ଚି ଭୋଟ ଦେଉଛନ୍ତି।

ଦିବ୍ୟାଙ୍ଗ ଭୋଟରଙ୍କୁ ଛାତ୍ର ମାନେ ଉପସ୍ଥିତ ରହି ଭୋଟଦାନ କେନ୍ଦ୍ରରେ ପହଞ୍ଚାଉଛନ୍ତି। ଭୋଟର ମାନଙ୍କ ନିମନ୍ତେ ଆବଶ୍ୟକ ସ୍ଥଳେ ଔଷଧର ବ୍ୟବସ୍ଥା କରାଯାଇଛି। ଗାଁ ଗାଁ କୁ ଗାଡ଼ି ପଠାଇ ଭୋଟଦାନକେନ୍ଦ୍ରରେ ପହଞ୍ଚା ଯାଉଛି।