ବରଗଡ଼ରୁ ପୁଣି କେନ୍ଦ୍ରୀୟ ନେତାଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ

1 min read

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ରୁ ପୁଣି କେନ୍ଦ୍ରର ନେତାଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ। କୋଶଳୀ ଭାଷା, ମହାନଦୀରେ ଛତିଶଗଡ଼ର ବେଆଇନ ନିର୍ମାଣ ସହ ଓଡ଼ିଆ ଅସ୍ମିତା କଥା କହୁଥିବା ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଓଡ଼ିଆ ବରପୁତ୍ରଙ୍କ ପ୍ରତି ଅବହେଳା କଥା କହି ତୀବ୍ର ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଥିଲେ ଏ ଜାତିର ପରିଚୟ ହେଉଛି କୋଶଳୀ ଭାଷା। ଶହ ଶହ ବର୍ଷ ଧରି ଲୋକେ ଏହି ଭାଷା କହି ଆସୁଛନ୍ତି। ଏହି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ରଖିବାକୁ ୫ ବର୍ଷ ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସରକାର। ହେଲେ ଭାଷା ପାଇଁ ଏତିକି ସମ୍ମାନ ଦେଲା ନାହିଁ କେନ୍ଦ୍ର। ଆଜି ଭୋଟ ପାଇ ଆସିଛନ୍ତି। ମହାନଦୀ ପ୍ରସଙ୍ଗରେ କହିଥିଲେ, ଏ ଅଂଚଳର ଜୀବନଧାରା ମହାନଦୀ।

ପୂର୍ବରୁ ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିଲା । ଏହି ସମୟରେ ଦୁଇ ଜଣ ମିଶିକି ବେଆଇନ ଭାବେ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ । ଏହି ଡ୍ଯାମକୁ ବନ୍ଦ କରିବାର ଭୂମିକା ହେଉଛି କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ କେନ୍ଦ୍ର ଜଳ କମିଶନ CWCର। ସିଡବ୍ଲୁସି ବିଲକୁଲ କାମ କଲେନାହିଁ। ଆଖି ବନ୍ଦ କରି  ଛତିଶଗଡ଼କୁ ସହଯୋଗ କଲେ। ଏଠାକାର ଥିବା କେନ୍ଦ୍ରମନ୍ତ୍ରୀ ଆଖି ବନ୍ଦ କରି ଛତିଶଗଡ଼କୁ ସମର୍ଥନ କଲେ। ରାଜ୍ଯ ସରକାର ମହାନଦୀକୁ ନେଇ ସୁପ୍ରିମକୋର୍ଟ ଗଲେ। ମହାନଦୀ ଟ୍ରିବୁନାଲ ଗଠନ କରାଗଲା। ତାପରେ ଯାଇ ଛତିଶଗଡ଼ର ଡ୍ଯାମ ନିର୍ମାଣ ବନ୍ଦ ହେଲା। ମୁଖ୍ୟମନ୍ତ୍ରୀ ନବୀନଙ୍କର  ଚେଷ୍ଟାରେ ଏହି ଟ୍ରିବ୍ଯୁନାଲ ଗଠନ ହେଲା। ହେଲେ କେନ୍ଦ୍ର ସରକାର ବରଗଡ଼, ସମ୍ବଲପୁର, ଅଂଚଳର ଜୀବନଧାରାକୁ ବଂଚାଇବାକୁ ଦେଲେନାହିଁ।

ଏଇ ମାଟି ହେଉଛି ମହାନ କବି ଗଙ୍ଗାଧର ମେହେରଙ୍କ ମାଟି। କେନ୍ଦ୍ରମନ୍ତ୍ରୀ ଏତେ ବର୍ଷ ହେଲା ଅଛନ୍ତି। ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ମହାନ ଗଙ୍ଗାଧରଙ୍କ ପବିତ୍ର ମାଟି ଲାଗି କଣ କଲେ କି ବୋଲି ପଚାରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମ୍ୟୁଜିଅମଠାରୁ ଆରମ୍ଭ କରି ସ୍ମୃତିପୀଠ ପର୍ଯ୍ୟନ୍ତ ସବୁ ରାଜ୍ୟ ସରକାର କରିଛନ୍ତି। କେନ୍ଦ୍ର ସରକାର ଗୋଟିଏ ଟଙ୍କା ବି ଖର୍ଚ୍ଚ କରିନାହାନ୍ତି। ବରଗଡ଼ରେ କ୍ଯାନସର ରୋଗର ଚିକିତ୍ସା ଏକ ପ୍ରମୁଖ ସମସ୍ଯା ଥିଲା। ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ କଥା ଦେଇଥିଲେ କ୍ଯାନସର ହସ୍ପିଟାଲ କରିବି। ମୁଖ୍ୟମନ୍ତ୍ରୀ କ୍ଯାନସର ହସ୍ପିଟାଲ କରାଇଲେ ।

ଆଗକୁ ଆହୁରି ବଡ଼ ଆକାରରେ କରି ଓଡ଼ିଶାରେ ସବୁଠୁ ବଡ଼ କ୍ଯାନସର ହସ୍ପିଟାଲ କରିବାକୁ ଯୋଜନା ରହିଛି। ହେଲେ କେନ୍ଦ୍ର ବରଗଡ଼ରେ ସ୍ଵତନ୍ତ୍ର ଭାବେ କ୍ଯାନସର ଚିକିତ୍ସା ଲାଗି ବ୍ୟବସ୍ଥା କରିବ ବୋଲି କହିଥିଲା ।ଏବେ ସେମାନଙ୍କୁ ଖୋଜିଲେ ବି ପାଇବେନି। ବରପାଲି ଷ୍ଟେସନରୁ ଏକ୍ସପ୍ରେସ ଟ୍ରେନ ସହ ପଦମପୁରରୁ ଟ୍ରେନ ଚାଲିବ କହିଥିଲେ। ଉପନିର୍ବାଚନ ଆସିଲେ ବଡ଼ ବଡ଼ କଥା କୁହନ୍ତି, ହେଲେ ନିର୍ବାଚନ ସରିବା ପରେ କେହି ଦେଖା ଦିଅନ୍ତିନି ବୋଲି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।