ମୁରିବାହାଲରୁ ବିଜେଡି ସାଂସଦ ପ୍ରାର୍ଥୀ ଓ ନିଜ ପାଇଁ ଭୋଟ ମାଗିଲେ ନବୀନ

1 min read

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର । ପଚାରିଲେ- ମୁଁ ଆପଣଙ୍କ ବିଧାୟକ ପ୍ରାର୍ଥୀ ହୋଇଛି ଆପଣମାନେ ଖୁସି ତ ।

ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନା, ଯେପରି କି ବିଏସକେୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ, 5T ସ୍କୁଲ, ପିଲାଙ୍କ ସ୍କଲାରସିପ ଭଳି ଅନେକ ଯୋଜନା ଭଲ କି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ପାଇଁ ଓ ଲୋକସଭା ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ମଞ୍ଚରୁ ଆହ୍ଵାନ କରିଥିଲେ ନବୀନ ।

ଏହି ଅବସରରେ ମୁରିବାହାଲ ଜନତାଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କଣ୍ଟାବାଞ୍ଜିର ଉନ୍ନତି, ବିକାଶ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏଠାରୁ ଛିଡା ହୋଇଛନ୍ତି । ଅଞ୍ଚଳର ରୂପାନ୍ତରଣ,  ପିଲାମାନଙ୍କ ଭବିଷ୍ୟତ ଉଜ୍ଜଳ କରିବାକୁ  ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଆଶୀର୍ବାଦ କରନ୍ତୁ । ଏତେ ଖରାରେ ଆସିଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ମାର୍ଜିନରେ ଜିତାଇବାକୁ ଅପିଲ୍ କରିଛନ୍ତି । ନବୀନ ବାବୁ ରେକର୍ଡ ମାର୍ଜିନରେ ଜିତି ଇତିହାସ ରଚିବେ। ଏଥିଲାଗି ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ କାର୍ତ୍ତିକ ।

ସେ ଆଗକୁ କହିଥିଲେ, ‘ମୁଖ୍ୟମନ୍ତ୍ରୀ କଥା କମ, କାମରେ ବିଶ୍ଵାସ କରନ୍ତି । ବିରୋଧୀ କଥା କହି କାମ ବିଲକୁଲ କରନ୍ତି ନାହିଁ । ୫ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଆସିଥିଲେ, ଗତକାଲି ବଲାଙ୍ଗୀର ଆସିଥିଲେ । ଧାନର ଏମଏସପି, ପେଟ୍ରୋଲ ଓ ଡିଜେଲ ଦର କମାଇବା ସହ ରୋଜଗାର ସୃଷ୍ଟି କରିବୁ କହିଥିଲେ । କୁଆଡ଼େ ଗଲା ସବୁ ପ୍ରତିଶ୍ରୁତି । ମୁଖ୍ୟମନ୍ତ୍ରୀ ଦିନରାତି ଆପଣଙ୍କ ପାଇଁ ଖଟୁଛନ୍ତି । ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ଚାଷୀଙ୍କ ଜଳସେଚନ ବିଲ୍ ମଧ୍ୟ ଆସିବ ନାହିଁ । ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିପୁଳ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାନ୍ତୁ ।’